ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠର ପବିତ୍ର ପରିବେଶରେ ଗଢିଉଠିଥିବା ଝଙ୍କଡ଼ ସାରଦା ବେଦବିଦ୍ୟାପୀଠରେ ଗଣେଶ ପୂଜା ଏକ ନିଆରା ଓ ଆଧ୍ୟାତ୍ମିକ ପରମ୍ପରାର ସାକ୍ଷୀ ହୋଇଥାଏ। ଏହି ବର୍ଷ ମଧ୍ୟ ସେହି ଐତିହ୍ୟ ଅକ୍ଷୁର୍ଣ୍ଣ ରହିଥିଲା।
ପ୍ରଧାନ ଆଚାର୍ଯ୍ୟ ପଣ୍ଡିତ ସୁଦର୍ଶନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅଗ୍ରପୂଜ୍ୟ ଗଜାନନଙ୍କୁ ବୈଦିକ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଶୁଭ ମୁହୂର୍ତ୍ତରେ ବିଦ୍ୟାପୀଠର ବିଦ୍ୟାର୍ଥୀମାନେ ସମବେତ ହୋଇ ବେଦଧ୍ୱନି ଉଚ୍ଚାରଣ କରିଥିଲେ, ଯାହା ସମଗ୍ର ପୂଜାମଣ୍ଡପକୁ ସୁରଝଙ୍କାରରେ ପ୍ରକମ୍ପିତ କରିଦେଇଥିଲା। ଆଶୀର୍ବାଦ ପଣ୍ଡା, ଜଗନ୍ନାଥ ଦାଶ, ପ୍ରତୀକ ପଣ୍ଡା, ଚନ୍ଦ୍ରକାନ୍ତ ପତି, ସତ୍ୟବ୍ରତ ପତି, ଅଭିଷେକ ପଣ୍ଡା, ଅତିଥି ମହାପାତ୍ର, ପ୍ରତ୍ୟୁଷ ପଣ୍ଡା, ଦେବାଂଶ ପଣ୍ଡା, ଓମ ପ୍ରସାଦ ଆଚାର୍ଯ୍ୟ, ପ୍ରଭୁପାଦ ସାମନ୍ତରାୟ, ସତ୍ୟପ୍ରକାଶ ପଣ୍ଡା, ରୁଦ୍ରପ୍ରସାଦ ପଣ୍ଡା ଓ ଆନନ୍ଦ କୁମାର ଦୀକ୍ଷିତ ପ୍ରମୁଖ ବିଦ୍ୟାର୍ଥୀମାନେ ଏହି ପବିତ୍ର ଅନୁଷ୍ଠାନରେ ଅଂଶଗ୍ରହଣ କରି ମଣ୍ଡପକୁ ଭକ୍ତିରସରେ ପୂର୍ଣ୍ଣ କରିଦେଇଥିଲେ।
ସୂଚନାଯୋଗ୍ୟ ଯେ, ଏହି ବିଦ୍ୟାର୍ଥୀମାନେ କେବଳ ଗଣେଶ ପୂଜା ଅବସରରେ ନୁହେଁ, ବରଂ ପ୍ରତିଦିନ ପ୍ରତ୍ୟୁଷରେ ମା’ ସାରଳାଙ୍କ ନାଟ୍ୟମଣ୍ଡପ ଉପରେ ବେଦମନ୍ତ୍ର ପାଠ କରି ମନ୍ଦିରବେଢ଼ାରେ ଏକ ଅଲୌକିକ, ଆଧ୍ୟାତ୍ମିକ ଓ ଭକ୍ତିଭାବମୟ ପରିବେଶ ସୃଷ୍ଟି କରି ଆସୁଛନ୍ତି। ଏହି ନିତିଦିନିଆ ବେଦପାଠ ପରମ୍ପରା ଝଙ୍କଡ଼ ସାରଳାପୀଠର ଗୌରବ ବଢ଼ାଇ ଚାଲିଛି, ଆଉ ଏହି ବିଦ୍ୟାପୀଠର ଛାତ୍ରମାନେ ପ୍ରାଚୀନ ବୈଦିକ ପରମ୍ପରାର ପ୍ରକୃତ ଉତ୍ତରାଧିକାରୀ ଭାବେ ନିଜକୁ ପ୍ରତିଷ୍ଠିତ କରୁଛନ୍ତି।
