କଟକ ସଦର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଶନନଗର ମହାବିଦ୍ୟାଳୟ ପରିସରରେ ଏକ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରକୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ ସାହୁ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ରେକର୍ଡ ସଂଖ୍ୟକ ମୋଟ ୩୬୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।
କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜେ ରକ୍ତଦାନ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହ କିଶନନଗର ଥାନା ଅଧିକାରୀ ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ମଧ୍ୟ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।
ଏହି ଅବସରରେ ବିଜେପିର ବରିଷ୍ଠ ନେତା ତଥା ଅଭିନେତା ଶ୍ରୀତମ ଦାସ, କିଶନନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ, ସୁଦାମବତୀ ମଣ୍ଡଳ ସଭାପତି ରଘୁନାଥ ଆଚାର୍ଯ୍ୟ, ନେମାଳ ମଣ୍ଡଳର କାର୍ଯ୍ୟକର୍ତ୍ତା, ସାଧୁ ଚରଣ ଜେନା ଓ ହୃଷୀକେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କଟକ ସଦର ବିଜେପିର ଛାତ୍ର, ଯୁବ, ମହିଳା ଓ ସ୍ଥାନୀୟ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
କିଶନନଗରରେ ଏପରି ଏକ ବୃହତ ମେଗା ରକ୍ତଦାନ ଶିବିର ଆୟୋଜନ ସହ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ହୋଇପାରିଥିବାରୁ ବିଭିନ୍ନ ମହଲରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରାଯାଇଛି।
