ଭୁବନେଶ୍ୱର: ଛତିଶଗଡ଼ର ମୁଖ୍ୟମନ୍ତ୍ରୀବିଷ୍ଣୁଦେଓ ସାଏ ଓଡ଼ିଶା ଗସ୍ତ ଅବସରରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ସୌଜନ୍ୟମୂଳକ ଆଲୋଚନା କରିଛନ୍ତି। ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ। ବିମାନବନ୍ଦରରୁ ବାହାରି ସେ ସିଧା ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବିଷ୍ଣୁଦେଓ ସାଏ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଛନ୍ତି। ଏହି ବୈଠକରେ ମହାନଦୀ ଜଳ ବିବାଦ ସମେତ ଦୁଇ ରାଜ୍ୟର ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବା ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ମହାନଦୀଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବୈଷୟିକ ଆଲୋଚନା ଜାରି ରହିଛି । ସେପ୍ଟେମ୍ବର ୨୧ରେ କେନ୍ଦ୍ରୀୟ ଜଳ ଆୟୋଗ (CWC) ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଦୁଇ ରାଜ୍ୟର ବୈଷୟିକ ଟିମ୍ର ପରବର୍ତ୍ତୀ ବୈଠକ ହେବ । ସେହିପରି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୮ରେ ହେବ । ଏହା ପୂର୍ବରୁ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ଓ ବୈଷୟିକ ତଥ୍ୟ ଆଧାରରେ ସମାଧାନର ରାସ୍ତା ଖୋଜାଯାଉଛି । ଏହା ପୂର୍ବରୁ ଜୁଲାଇ ୩୦ରେ ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ମୋହନ ମାଝୀ ଓ ବିଷ୍ଣୁଦେଓ ସାଏ ମହାନଦୀ ଜଳ ବଣ୍ଟନ ଓ ପରିଚାଳନା ନେଇ ଆଲୋଚନା କରିଥିଲେ ।
