ଝଙ୍କଡ଼ : ମୋଟର ଯାନ ନିୟମକୁ ଉଲ୍ଲଙ୍ଘନ କରି ବିପଜ୍ଜନକ ଭାବେ ଅଦ୍ଭୁତ ଢଙ୍ଗରେ ସଜ୍ଜିତ ଏକ ଗାଡ଼ିକୁ ତିର୍ତ୍ତୋଲ ଥାନା ପୋଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ବେଆଇନ ଭାବେ ଅତ୍ୟଧିକ ଆଲୋକ (ଲାଇଟ୍) ଏବଂ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ସାଉଣ୍ଡ ବକ୍ସ ଖଞ୍ଜାଯାଇ ଚଳାଚଳ କରୁଥିବା OD-21-J-2884 ନମ୍ବର ବିଶିଷ୍ଟ ଏକ ଗାଡ଼ିକୁ ପୋଲିସ ଅଟକାଇ ଯାଞ୍ଚ କରିଥିଲା। ନିୟମ ଖିଲାପ କରି ଉକ୍ତ ଗାଡ଼ି ବ୍ୟବହାର କରୁଥିବା ଅଭିଯୋଗରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗରେଇ ଲଥାଙ୍ଗ ଗ୍ରାମର ଅଜିତ କୁମାର ତାରେଣିଆଙ୍କ ପୁଅ ରାଜେଶ କୁମାର ତାରେଣିଆ (୨୭) ଏବଂ ଶିରୋଳ ଗ୍ରାମର ପ୍ରସନ୍ନ କୁମାର ଦାସଙ୍କ ପୁଅ ବିବେକ ଦାସ (୧୯)ଙ୍କୁ ପୋଲିସ ଗିରଫ କରିଛି।
ଏହି ଘଟଣାରେ ତିର୍ତ୍ତୋଲ ଥାନାର ନବନିଯୁକ୍ତ ସବ୍-ଇନ୍ସପେକ୍ଟର ଜୟଦୀପ କୁମାର ମହାନ୍ତିଙ୍କ ଅଭିଯୋଗ କ୍ରମେ ଥାନା କେସ୍ ନମ୍ବର ୪୨୯ (ତା ୨୬.୦୯.୨୦୨୬) ରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୨୯୬, ୨୨୩, ୧୨୫(b), ୨୭୦, ୧୦୯(୧), ୧୧୫(୨), ୧୧୭(୨), ୧୮୯, ୨୯୨, ୩(୫) ସମେତ ପରିବେଶ ସୁରକ୍ଷା ଆଇନର ଧାରା ୧୫ ଏବଂ ମୋଟର ଯାନ ଆଇନର ବିଭିନ୍ନ ଧାରା (୫୨, ୧୯୦(୨), ୩୯, ୧୯୨, ୧୮୦, ୧୮୧) ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ତିର୍ତ୍ତୋଲ ଥାନାର ଅତିରିକ୍ତ ଆଇଆଇସି ରଘୁନାଥ ଟୁଡୁ ତଦନ୍ତକାରୀ ଅଧିକାରୀ (ଆଇଓ) ଭାବେ ଘଟଣାର ତଦନ୍ତ କରି ଉଭୟ ଅଭିଯୁକ୍ତଙ୍କୁ ମାନ୍ୟବର କୋର୍ଟକୁ ଚାଲାଣ କରିଛନ୍ତି। ସହର ତଥା ଗ୍ରାମାଞ୍ଚଳରେ ଏଭଳି ବିପଜ୍ଜନକ ଓ ଶବ୍ଦ ପ୍ରଦୂଷଣକାରୀ ଗାଡ଼ି ଚଳାଚଳ ଉପରେ ପୋଲିସ ଆଗକୁ ମଧ୍ୟ କଡ଼ା ନଜର ରଖିବ ବୋଲି ଜଣାପଡ଼ିଛି।
