ଝଙ୍କଡ଼ : ବାତ୍ୟା ପ୍ରଭାବରେ ଜାରି ରହିଥିବା ଲଗାଣ ବର୍ଷା ଓ ଝଡ଼ପବନ ସମୟରେ ଏକ ସରକାରୀ କାର୍ଯ୍ୟାଳୟରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ତିର୍ତ୍ତୋଲ ବ୍ଲକ୍ କନିମୂଳ ପଞ୍ଚାୟତ ଅଧୀନ କିଳିପାଳ ରାଜସ୍ୱ ନିରୀକ୍ଷକ (ଆର୍ଆଇ)ଙ୍କ କାର୍ଯ୍ୟାଳୟ ସମ୍ମୁଖ କାନ୍ଥରେ ଲାଗିଥିବା ଏଲ୍ଇଡି (LED) ଲାଇଟ୍କୁ ଗତ ରାତିର ଅନ୍ଧାର ଓ ପ୍ରବଳ ବର୍ଷାର ସୁଯୋଗ ନେଇ କେହି ଦୁର୍ବୃତ୍ତ ତାଡ଼ି ନେଇଯାଇଛି। ସରକାରୀ କାର୍ଯ୍ୟାଳୟରୁ ଏଭଳି ଚୋରି ଘଟଣାକୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ନିନ୍ଦା କରିବା ସହ ଏହା ପଛରେ ନିଶାଡ଼ି ଯୁବଗୋଷ୍ଠୀଙ୍କ ହାତ ଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି।
କିଳିପାଳ ରାଜସ୍ୱ କାର୍ଯ୍ୟାଳୟ ଅଧୀନରେ କୃଷ୍ଣାନନ୍ଦପୁର, ବିଶନପୁର ଏବଂ କନିମୂଳ ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତର ଜମିଜମା କାରବାର, ସରକାରୀ ଜମି ଓ ଜଙ୍ଗଲ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କାର୍ଯ୍ୟ ତୁଲାଯାଇଥାଏ। ମାତ୍ର କାର୍ଯ୍ୟାଳୟରେ କେବଳ ରାଜସ୍ୱ ନିରୀକ୍ଷକଙ୍କ ବ୍ୟତୀତ ଆବଶ୍ୟକ କର୍ମଚାରୀ ନଥିବାରୁ ଅଫିସ୍ ପରିସର ଅତ୍ୟନ୍ତ ଅସୁରକ୍ଷିତ, ଅଯତ୍ନ ଓ ଅପରିଷ୍କାର ଅବସ୍ଥାରେ ପଡ଼ିରହିଛି। ଜରୁରୀ କାଗଜପତ୍ର ଓ ଆସବାବପତ୍ର ମଧ୍ୟ ଅସଂଯତ ଭାବେ ରହୁଥିବାରୁ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି।
ଏହି କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ସହ ତୁରନ୍ତ ଆବଶ୍ୟକ କର୍ମଚାରୀ ନିଯୁକ୍ତ କରିବା ଲାଗି ସ୍ଥାନୀୟ ତହସିଲଦାର ତଥା ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି କରାଯାଇଛି। କନିମୂଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ଇଂ. ବେଦଦ୍ୟୁତି ପୃଷ୍ଟି, ରବୀନ୍ଦ୍ର କୁମାର ମଲ୍ଲିକ, ଅକ୍ଷୟ ବେହେରା, ସତ୍ୟଜିତ ରାଉତରାୟ, ସୁବାସ ଚନ୍ଦ୍ର ସାହୁ, ଭିକାରୀ ସୂତାର, ଶୁକଦେବ ସୂତାର ଓ ସ୍ୱାଧୀନ ଖୁଣ୍ଟିଆଙ୍କ ସମେତ ସ୍ଥାନୀୟ ବାସିନ୍ଦା ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନିବେଦନ କରିଛନ୍ତି।
