ମୁଖ୍ୟ ଶାସନ ସଚିବଙ୍କୁ ୧୫ଦଫା ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୧/୧: ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅନୁ ଗର୍ଗ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀ ଅନୁ ଗର୍ଗଙ୍କୁ ୧୫ଦଫା ନିର୍ଦ୍ଦେଶାନାମା ପ୍ରଦାନ କରିଛନ୍ତି । ଲକ୍ଷ୍ୟ ହାସଲ ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୩୬ ସୁଦ୍ଧା ୫ଶହ ବିଲିଅନ ଡଲାର ଅର୍ଥନୀତି ସହ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ରଖାଯାଇଛି । ଶ୍ରେଷ୍ଠ ୫ବିକଶିତ ରାଜ୍ୟରେ ଓଡ଼ିଶାକୁ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ଶିଳ୍ପାୟନର ଦୃତ ବିକାଶ ପାଇଁ ନିର୍ଦ୍ଦେଶାବଳୀରେ ଗୁରୁତ୍ୱ ଦିଆଯାଇଛି ।ନୂଆ ବର୍ଷରେ ଶାସନ-ପ୍ରଶାସନକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଜନା କରିଛନ୍ତି। ଶାସନ-ପ୍ରଶାସନକୁ ଚଳଚଞ୍ଚଳ ଓ ଲୋକାଭିମୁଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଏକ ପନ୍ଦର-ଦଫା ନିର୍ଦ୍ଦେଶାବଳି ପ୍ରଦାନ କରିଛନ୍ତି।ଏହି ଦିଶା ନିର୍ଦ୍ଦେଶରେ ଓଡିଶା ଭିଜନ ଡକ୍ୟୁମେଣ୍ଟରେ ଆସନ୍ତା ଦୁଇବର୍ଷ ପାଇଁ ସରକାର ରେଖାଙ୍କିତ ଲକ୍ଷ୍ୟକୁ ହାସଲ କରିବା ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୨୦୩୬ ସୁଦ୍ଧା ୫୦୦ ବିଲିଅନ ଆମେରିକୀୟ ଡଲାର ଅର୍ଥନୀତି ସହିତ ସମୃଦ୍ଧ ଓଡିଶା ଗଠନ ଏବଂ ଓଡିଶାକୁ ଶ୍ରେଷ୍ଠ ପାଞ୍ଚଗୋଟି ବିକଶିତ ରାଜ୍ୟ ମଧ୍ୟରେ ଆଣିବାକୁ ରାଜ୍ୟକୁ ଏକ ‘ମିଶ୍ରିତ ଅର୍ଥନୀତି’ ଆଡକୁ ନେବାପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।ତେଣୁ, ମୁଖ୍ୟମନ୍ତ୍ରୀ ଭାବେ ଜ୍ଞାନ-ପରିଚାଳିତ ଶିଳ୍ପ ତଥା ସେବା କ୍ଷେତ୍ରକୁ ଅଧିକ ଗୁରୁତ୍ଵ ଦେଇ ଏହାର ଦ୍ରୁତ ବିକାଶ ପାଇଁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଶିଳ୍ପାୟନର ଦୃତ ବିକାଶ ପାଇଁ ସବୁ ଜିଲ୍ଲାପାଳଙ୍କୁ ବିଭିନ୍ନ ପ୍ରକ୍ରିୟାକୁ ଫାଷ୍ଟଟ୍ରାକ କରିବାକୁ ଏହି ନିର୍ଦ୍ଦେଶାବଳୀରେ ଗୁରୁତ୍ଵ ଆରୋପ କରାଯାଇଛି।ସେହିପରି ଆସନ୍ତା ଦୁଇବର୍ଷ ମଧ୍ୟରେ ସବୁ ଖାଲିଥିବା ସରକାରୀ ପଦ ପଦବୀକୁ ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି ସରକାର ଦକ୍ଷ ଏବଂ ପ୍ରଶିକ୍ଷିତ ଅଧିକାରୀଙ୍କ ସେବା ଉପରେ ଗୁରୁତ୍ଵ ଆରୋପ କରିବା ସହ ଦୁର୍ନୀତିଗ୍ରସ୍ତ, ଅପାରଗ ଏବଂ ଦାୟିତ୍ଵହୀନ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବିଧାନର ୩୧୧ ଧାରା ଏବଂ ଓଡିଶା ସର୍ଭିସେସ ରୁଲ ଅନୁଯାୟୀ ଚିହ୍ନଟ କରି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ଏପରିକି ବାଧ୍ୟତାମୂଳକ ସେବା ନିବୃତ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରୁ, ମୁଖ୍ୟମନ୍ତ୍ରୀଙ୍କ ଶାସନ-ପ୍ରଶାସନକୁ ସ୍ଵଚ୍ଛ, ଦକ୍ଷ ଏବଂ ଚଳଚଞ୍ଚଳ କରିବା ପାଇଁ ଦୃଢ ସଂକଳ୍ପକୁ ସୂଚାଉଛି।ଏଥି ସହିତ ବିଭିନ୍ନ ପ୍ରକଳ୍ପର ସଫଳ ରୂପାୟନ ପାଇଁ ନିୟମିତ ଭାବେ ସମୀକ୍ଷା ଓ ମୂଲ୍ୟାୟନ କରିବା ପାଇଁ ଗୁରୁତ୍ଵ ଆରୋପ କରାଯାଇଛି। ଗବେଷଣା ଓ ମୂଲ୍ୟାୟନକୁ ଜୋର୍ ଦେବା ପାଇଁ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ ଏକ ଉତ୍କର୍ଷ କେନ୍ଦ୍ର ଭାବେ ଗଢିତୋଳିବାକୁ ନିର୍ଦ୍ଦେଶ ଦିଆ ଯାଇଛି।ସବୁପ୍ରକାର ସରକାରୀ କାର୍ଯ୍ୟ, ବିଶେଷ ଭାବେ ନୋଟିସ, ବିଜ୍ଞପ୍ତି, ପତ୍ର ବିନିମୟକୁ କେବଳ ଓଡିଆ ଭାଷାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଚିବାଳୟ ଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବା ପାଇଁ କୁହାଯାଇଛି। ଏହି ଦିଗରେ ଖିଲାଫକାରୀଙ୍କୁ କୈଫିୟତ ତଲବ କରିବା ପାଇଁ ବି କୁହା ଯାଇଛି। ତେଣୁ, ଓଡିଆ ଭାଷାକୁ ସରକାରୀ ଭାଷାରେ ବ୍ୟବହାର କରିବା ପାଇଁ ପ୍ରତିବଦ୍ଧତାର ବାର୍ତ୍ତା ମଧ୍ୟ ମୁଖ୍ୟମନ୍ତ୍ରୀ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣିକୁ ଅତ୍ୟନ୍ତ ଗୁରୁତର ସହିତ ବିଚାରକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଚିବାଳୟ ଠାରୁ ଆରମ୍ଭ କରି ବ୍ଲକ ଓ ତହସିଲ ସ୍ତର ପର୍ଯ୍ୟନ୍ତ ସବୁ ଅଧିକାରୀଙ୍କୁ ଲୋକଙ୍କ ଅଭିଯୋଗ ଶୁଣି ତାକୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଶୁଣାଣି ପାଇଁ ସୋସିଆଲ ମିଡିଆକୁ ବହୁଳ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି।ଲୋକଙ୍କ ସମସ୍ୟାକୁ ନିଜ ଆଖିରେ ଦେଖି ତାହାର ସମାଧାନ କରିବା ପାଇଁ ସବୁ ସ୍ତରର ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ପରାମର୍ଶ ଦେଇଛନ୍ତି। କ୍ଷେତ୍ର ପରିଦର୍ଶନ ସହିତ ସବୁ ଅଧିକାରୀଙ୍କୁ ପରିଦର୍ଶନର ଫଳାଫଳ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଯାହା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନରେ ବିବେଚିତ ହେବ।ଏହି ପନ୍ଦର-ସୂତ୍ରୀ ପରାମର୍ଶ ନିର୍ଦ୍ଦେଶିକା ରାଜ୍ୟ ଶାସନ ପ୍ରଶାସନକୁ ନିଶ୍ଚିତ ଭାବେ ଚଳଚଞ୍ଚଳ କରିବ। ଏହି ନିର୍ଦ୍ଦେଶିକାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରଶାସନକୁ ସ୍ଵଚ୍ଛ, ଦକ୍ଷ, ଲୋକାଭିମୁଖୀ, ତଥା ଗତିଶୀଳ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *