ଝଙ୍କଡ଼ : ବାତ୍ୟାର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ ଲଗାଣ ବର୍ଷା ଓ ଝଡ଼ପବନର କରାଳ ରୂପ ଏବେ ବି ଅନେକ ଗରିବ ପରିବାରର ସର୍ବସ୍ୱ ଛଡ଼ାଇ ନେଇଛି। ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ କନିମୂଳ ଗ୍ରାମରେ। ଅବିଶ୍ରାନ୍ତ ବର୍ଷା ଓ ପବନର ମାଡ଼ ସହି ନପାରି ଗ୍ରାମର ଅସହାୟ ଦିନମଜୁରିଆ ବିଜୟ ସାମଲଙ୍କ ଦୁଇ ବଖରା ବିଶିଷ୍ଟ ଚାଳ ଛପର ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୪ ତାରିଖ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ବର୍ଷା ଜାରି ରହିଥିବା ସମୟରେ ହଠାତ୍ ଜୋରରେ ପବନ ବହିବାରୁ ଘରଟି ହଲଚଲ ହେବାକୁ ଲାଗିଥିଲା। ବିପଦର ଆଶଙ୍କା କରି ଘରେ ଶୋଇଥିବା ବିଜୟ ଓ ତାଙ୍କ ସ୍ତ୍ରୀ ମାମିନା ସାମଲ ତୁରନ୍ତ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ବାହାରକୁ ଆସିବାର ମାତ୍ର କିଛି ମିନିଟ୍ ମଧ୍ୟରେ ଆଉ ଏକ ଝପଟା ପବନରେ ସମ୍ପୂର୍ଣ୍ଣ ଘରଟି ଭାଙ୍ଗି ଧରାଶାୟୀ ହୋଇପଡ଼ିଥିଲା। ତେବେ ଅଳ୍ପକେ ଉଭୟ ସ୍ୱାମୀ-ସ୍ତ୍ରୀ ଜୀବନ ବଞ୍ଚାଇ ପାରିଥିବା ବେଳେ ସେମାନଙ୍କ ଦୁଇ ପୁଅ କାମଧନ୍ଦା ପାଇଁ ବାହାରେ ରହୁଥିବା ଜଣାପଡ଼ିଛି।
ଘର ଭୁଶୁଡ଼ିବା ପୂର୍ବରୁ ପରିବାର ଲୋକେ କେବଳ ଭାତହାଣ୍ଡି ଓ ଚାଉଳ ଡବାଟିଏ ଉଦ୍ଧାର କରିପାରିଥିଲେ। ସେହି ସାମାନ୍ୟ ସମ୍ବଳକୁ ନେଇ ଏବେ ସେମାନେ ବାହାରେ ରୋଷେଇ କରି ଖାଉଛନ୍ତି ଏବଂ ଖୋଲା ଆକାଶ ତଳେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିନାହାନ୍ତି। ଏ ସମ୍ପର୍କରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ଜଣାଯାଇଥିଲେ ହେଁ କୌଣସି ସନ୍ତୋଷଜନକ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବିଜୟ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଅତି ଗରିବ ଶ୍ରେଣୀର ହୋଇଥିବାରୁ ନୂଆ ଘର ଖଣ୍ଡିଏ ତିଆରି କରିବା ତାଙ୍କ ପକ୍ଷେ ଅସମ୍ଭବ। ତେଣୁ ପ୍ରଶାସନ ତୁରନ୍ତ ଏହି ଦୁଃଖୀ ପରିବାରର ସ୍ଥିତି ଅନୁଧ୍ୟାନ କରି ସରକାରୀ ଆବାସ ଯୋଜନା କିମ୍ବା ଜରୁରୀକାଳୀନ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
