କଟକ: ନିଆଳି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ପନିର ଅପମିଶ୍ରଣ ଘଟଣାରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କୁ ବଦଳି କରାଯାଇଛି।
ସୂଚନା ଅନୁଯାୟୀ, ନିଆଳି ଅଞ୍ଚଳରୁ ଜବତ ହୋଇଥିବା ପନିର ନମୁନା ପରୀକ୍ଷା ପାଇଁ ହରିୟାଣାସ୍ଥିତ ଲ୍ୟାବ୍କୁ ପଠାଯାଇଥିଲା। ସେଠାରୁ ଆସିଥିବା ରିପୋର୍ଟରେ ପନିରରେ ଅପମିଶ୍ରଣ ହୋଇଥିବା ସ୍ପଷ୍ଟ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଉକ୍ତ ନିଆଳି ଅଞ୍ଚଳର ଦାୟିତ୍ୱରେ ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସ ଥିଲେ ମଧ୍ୟ ସେ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ସରକାର ତାଙ୍କ ବିରୋଧରେ ଏହି ବଦଳି ନିର୍ଦ୍ଦେଶ ଜାରି କରିଛନ୍ତି। ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳୁଥିବା ଅପମିଶ୍ରଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଏଥିରେ ଅବହେଳା କରୁଥିବା ଅଧିକାରୀଙ୍କ ପ୍ରତି ସରକାର କଡ଼ା ପଦକ୍ଷେପ ନେଉଥିବା ଏହି କାର୍ଯ୍ୟାନୁଷ୍ଠାନରୁ ସ୍ପଷ୍ଟ ହୋଇଛି।
