କଟକ ସଦର : ପବିତ୍ର ଇନ୍ଦୁ ପୂର୍ଣ୍ଣିମା ତଥା ଶ୍ରୀମଦ୍ ଭାଗବତ ଜନ୍ମ ଉତ୍ସବ ଉପଲକ୍ଷେ ବୟାଳିଶ ମୌଜା ଅନ୍ତର୍ଗତ କୂଳକଳପଡ଼ା ଗ୍ରାମରେ ଏକ ଭାବପୂର୍ଣ୍ଣ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଶ୍ରୀ ଜଗନ୍ନାଥ ସେବା ସମିତି ଏବଂ ଭାଗବତ ଟୁଙ୍ଗି ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ମହୋତ୍ସବରେ ଶ୍ରୀମଦ୍ ଭାଗବତ ପଠନ ଓ ପାରାୟଣ ମହା ଆଡ଼ମ୍ବରରେ ସମ୍ପନ୍ନ ହୋଇଛି।
ସ୍ଥାନୀୟ ବାସିନ୍ଦା କୈଳାସ ଚନ୍ଦ୍ର ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗ୍ରାମର ଭାଗବତ ଟୁଙ୍ଗି ପରିସରରେ ଶ୍ରଦ୍ଧାଳୁମାନଙ୍କ ହରିବୋଲ ଓ ଭକ୍ତିଭରା ଉଚ୍ଚାରଣ ମଧ୍ୟରେ ପବିତ୍ର ଭାଗବତ ବାଣୀ ପାଠ କରାଯାଇ ସମଗ୍ର ପରିବେଶକୁ ଭକ୍ତିମୟ କରି ଗଢ଼ିତୋଳା ଯାଇଥିଲା।
ଏହି ଆଧ୍ୟାତ୍ମିକ ଉତ୍ସବରେ ଗ୍ରାମର ବହୁ ଶ୍ରଦ୍ଧାଳୁ ଓ ମହିଳା ଯୋଗଦେଇ ଦର୍ଶନ ସହ ପ୍ରଭୁଙ୍କ କୃପା ଲାଭ କରିଥିଲେ। କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବାରେ ଶ୍ରୀ ଜଗନ୍ନାଥ ସେବା ସମିତି ଏବଂ ଭାଗବତ ଟୁଙ୍ଗିର ସମସ୍ତ କର୍ମକର୍ତ୍ତା ତଥା ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ।
