କଟକ : ଏସ.ଆଇ.ଆର (SIR) ପ୍ରସଙ୍ଗରେ ରାଜ୍ୟର ପ୍ରାୟ ୨୦ ଲକ୍ଷ ଓଡ଼ିଆ ଭୋଟରଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ, ଜନସାଧାରଣ ଓ କଂଗ୍ରେସ ଦଳର ନିରନ୍ତର ପ୍ରତିବାଦ ତଥା ଆନ୍ଦୋଳନ ଆଗରେ ସରକାର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି। ସରକାର ଫର୍ମ-୬ ଫେରାଇ ନେବା ଫଳରେ ଏହା ସାଧାରଣ ଜନତା ଏବଂ କଂଗ୍ରେସର ଏକ ବଡ଼ ନୈତିକ ବିଜୟ ବୋଲି ଦଳ ପକ୍ଷରୁ ପ୍ରକାଶ ପାଇଛି।
ଏହି ପରିପ୍ରେକ୍ଷୀରେ ପିସିସି ସୋସିଆଲ ମିଡିଆ ଅଧ୍ୟକ୍ଷ ତଥା କଟକ କଂଗ୍ରେସର ବରିଷ୍ଠ ନେତା ବିଶ୍ୱଜିତ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ କଟକ ବାରାବାଟୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ସମନ୍ୱୟ କମିଟି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। କମିଟିର ଅଧ୍ୟକ୍ଷ ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ୧୯ ନମ୍ବର ୱାର୍ଡଠାରେ କଂଗ୍ରେସ କର୍ମୀମାନେ ବାଣ ଫୁଟାଇବା ସହ ପରସ୍ପରକୁ ମିଠା ବଣ୍ଟନ କରି ଖୁସି ବ୍ୟକ୍ତ କରିଥିଲେ। ଏଥିସହ ନେତା ଓ କର୍ମୀମାନେ ବିଜେପିର ହୀନ ରାଜନୀତିକୁ କଡ଼ା ସମାଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ କଟକ କଂଗ୍ରେସ ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ଶେଖ ଜାଫର, ୧୯ ନମ୍ବର ୱାର୍ଡର ସୋସିଆଲ ମିଡିଆ ଅଧ୍ୟକ୍ଷ ଶେଖ ସରଫରାଜ ଅଲ୍ଲୀ, ଶେଖ କରିମୁଲ୍ଲା, ଯୁବନେତା ଫିରୋଜ ରେହେମାନ, ମହମ୍ମଦ ଆଦିଲ, ସାହିଦ ଖାନ, ଶେଖ ଆକ୍ରାମ, ସରସ୍ୱତୀ ରଣା, ରାକେଶ ଦାସ, ମହମ୍ମଦ ଶେବାଜ, ଶେଖ ରିଆଜ, ନୁର ଇଲାହୀଦ ନାତିକ, ଶେଖ ନାସିମ ଓ ଶେଖ ସବୀର ଉଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ରହିବା ସୁନିଶ୍ଚିତ ନହେବା ପର୍ଯ୍ୟନ୍ତ କଂଗ୍ରେସ ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବ ବୋଲି ଉପସ୍ଥିତ ନେତୃବୃନ୍ଦ ମତବ୍ୟକ୍ତ କରିଥିଲେ।
