ସମାଜସେବୀ ସ୍ୱର୍ଗତ ଅନାଦି ଦାସଙ୍କ ସ୍ମୃତିରେ ବିଦ୍ୟାଳୟ ପାଠାଗାରକୁ ୨୦୦ରୁ ଊର୍ଦ୍ଧ୍ୱ ପୁସ୍ତକ ପ୍ରଦାନ

ରାଜ୍ୟ
Spread the love

କଟକ  : କଟକ ୪୨ ମୌଜା ଅନ୍ତର୍ଗତ କଳପଡ଼ା ଗ୍ରାମ ପଞ୍ଚାୟତ ଦେଉଳି ଗ୍ରାମର ବିଶିଷ୍ଟ ସମାଜସେବୀ, ପରୋପକାରୀ ତଥା ସର୍ବଜନପ୍ରିୟ ସ୍ୱର୍ଗତ ଅନାଦି ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଝାରକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଠାଗାରକୁ ୨୦୦ରୁ ଊର୍ଦ୍ଧ୍ୱ ପୁସ୍ତକ ପ୍ରଦାନ କରାଯାଇଛି। ସ୍ୱର୍ଗତ ଦାସଙ୍କ ସୁପୁତ୍ର ତଥା ‘ଶିକ୍ଷକ ରତ୍ନ’ ଶ୍ରୀଯୁକ୍ତ ଅଭୟ କୁମାର ଦାସଙ୍କ ପ୍ରୟାସ ଏବଂ ‘ସଦର ପ୍ରତିଭା ବିକାଶ ପ୍ରତିଷ୍ଠାନ’ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସଭା ଆୟୋଜନ ପୂର୍ବକ ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ଲେଖକ-ଲେଖିକାଙ୍କ ରଚିତ ଏହି ପୁସ୍ତକସବୁ ପ୍ରଦାନ କରାଯାଇଥିଲା।

ପ୍ରତିଷ୍ଠାନର ସଭାପତି ଇଂ. ଅଶୋକ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ ଦାଶ, ‘ଓସ୍ତା’ର ପୂର୍ବତନ ସମ୍ପାଦକ ତଥା ଶିକ୍ଷକ ଚୈତନ୍ୟ ରାଉତ, ଆଦର୍ଶ ଶିକ୍ଷକ ରବୀନ୍ଦ୍ର କୁମାର ଦାସ, ସମାଜସେବୀ ତଥା ମହିଳା ନେତ୍ରୀ ସୁମିତା ଦେବତା, ବେଣ୍ଟକାର ପଞ୍ଚାୟତର ସମିତିସଭ୍ୟ ତଥା ଯୁବ ସମାଜସେବୀ ବିନୋଦ ବେହେରା, ସମାଜସେବୀ ନାରାୟଣ ମହାନ୍ତି ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହି ସ୍ୱର୍ଗତ ଅନାଦି ଦାସଙ୍କ ସମାଜସେବା ଓ ତ୍ୟାଗପୂତ ଜୀବନୀ ଉପରେ ଆଲୋକପାତ କରିଥିଲେ।

ପ୍ରତିଭା ବିକାଶ ପ୍ରତିଷ୍ଠାନର ସମ୍ପାଦକ ରୁଦ୍ର ନାରାୟଣ ଦାସ ସଭା ଓ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତଥା ନଟବର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏଭଳି ଏକ ମହତ କାର୍ଯ୍ୟକ୍ରମ ମାଧ୍ୟମରେ ପିତାଙ୍କ ସ୍ମୃତିଚାରଣ କରାଯାଇ ପିଲାମାନଙ୍କ ଭବିଷ୍ୟତ ଗଠନ ନିମନ୍ତେ ପୁସ୍ତକ ପ୍ରଦାନ କରାଯାଇ ପାରିଥିବାରୁ ସ୍ୱର୍ଗତ ଦାସଙ୍କ ସୁପୁତ୍ର ଶିକ୍ଷକ ଅଭୟ ଦାସ ସନ୍ତୋଷ ପ୍ରକାଶ କରିବା ସହ ଅନୁଷ୍ଠାନର କର୍ମକର୍ତ୍ତା, ବିଦ୍ୟାଳୟ କର୍ତ୍ତୃପକ୍ଷ ତଥା ଉପସ୍ଥିତ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *