ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ ମୂଳିସିଂହ ପଞ୍ଚାୟତର ସହରହାଟସ୍ଥିତ ସେଣ୍ଟଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀ ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଦେଶଭକ୍ତି, ସମାଜସେବା, ଜାତୀୟତାବୋଧ ତଥା ତ୍ୟାଗପୂତ ଆଦର୍ଶ ଜୀବନଚର୍ଯ୍ୟା ଉପରେ ବିସ୍ତୃତ ଆଲୋକପାତ କରାଯାଇଥିଲା। ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା ସଭାରେ ସଭାପତିତ୍ୱ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଶୋକ କୁମାର ବେହେରା, ପ୍ରସନ୍ନ କୁମାର ନାୟକ, ମୋନାଲିସା ଭଟ୍ଟ, ପ୍ରିୟଙ୍କା ପ୍ରିୟଦର୍ଶିନୀ ମଣ୍ଡଳ, ମିନତୀ ଦାସ, ଉଷାରାଣୀ ମହାନ୍ତି, ସନ୍ଧ୍ୟାରାଣୀ ଶାସମଲ ଏବଂ ସୁମେୟା ପରୱନି ପ୍ରମୁଖ ଉଭୟ ମହାନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟିତ୍ରୀ ସୁଦେଷ୍ଣା ଦାସ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
