କଟକ, ୩।୧୦ : ରାଜ୍ୟ ସରକାର ଗ୍ରାମାଞ୍ଚଳ ଲୋକଙ୍କୁ ଆତ୍ମନିର୍ଭରଶୀଳ ତଥା ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ପଶୁପାଳନ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କିନ୍ତୁ ଏହାର ସୁଫଳ ମିଳିପାରୁନାହିଁ। କଟକ ସଦର ବୟାଳିଶମୌଜା ଅଞ୍ଚଳରେ ପ୍ରାଣୀ ଚିକିତ୍ସା ସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।
ପୂର୍ବ ଗଣନା ଅନୁଯାୟୀ ଏହି ଅଞ୍ଚଳରେ ପ୍ରାୟ ୧୨ ହଜାରରୁ ଊର୍ଦ୍ଧ୍ୱ ଗୃହପାଳିତ ପଶୁ ଥିବା ବେଳେ ଏହା ବ୍ୟତୀତ ବହୁ ସଂଖ୍ୟାରେ ଛେଳି ଓ କୁକୁଡ଼ା ଫାର୍ମ ମଧ୍ୟ ରହିଛି। ମାତ୍ର ଏତେ ବଡ଼ ଅଞ୍ଚଳର ବିପୁଳ ପଶୁସମ୍ପଦର ଚିକିତ୍ସା ପାଇଁ ନିୟୋଜିତ ଅଛନ୍ତି ମାତ୍ର ଜଣେ ଭେଟେରିନାରୀ ସର୍ଜନ (ଭିଏସ୍) ଏବଂ ୩ ଜଣ ପ୍ରାଣୀଧନ ନିରୀକ୍ଷକ (ଏଲ୍ଆଇ)। କଳପଡ଼ାସ୍ଥିତ ପ୍ରାଣୀ ଚିକିତ୍ସାଳୟରେ ଭିଏସ୍ କାର୍ଯ୍ୟ କରୁଥିବା ବେଳେ କଳପଡ଼ା, କୂଳସରିଚୁଆଁ ଓ ଦଧିବାମନପୁର ପଞ୍ଚାୟତରେ ଜଣେ ଲେଖାଏଁ ଏଲ୍ଆଇ ଦାୟିତ୍ୱ ତୁଲାଉଛନ୍ତି। ବେଣ୍ଟକାର ଏଲ୍ଆଇଙ୍କ ପଦୋନ୍ନତି ପରେ ଉକ୍ତ ପଦବୀଟି ଦୀର୍ଘ ଦିନ ହେବ ଖାଲି ପଡ଼ିଛି। ଜନସଂଖ୍ୟା ବୃଦ୍ଧି ହେତୁ ବୟାଳିଶମୌଜା ପୂର୍ବର ୪ଟି ପଞ୍ଚାୟତରୁ ବର୍ତ୍ତମାନ ୬ଟି ପଞ୍ଚାୟତରେ ପରିଣତ ହୋଇଥିଲେ ମଧ୍ୟ ବ୍ରହ୍ମପୁର ଓ ଝାରକଟା ଭଳି ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତରେ ନୂତନ ଚିକିତ୍ସାଳୟ କିମ୍ବା ଉପକେନ୍ଦ୍ର ସ୍ଥାପନ ହୋଇପାରିନାହିଁ।
ଅନ୍ୟପଟେ ଦୂରଦୂରାନ୍ତରୁ ଚିକିତ୍ସାଳୟକୁ ଗୃହପାଳିତ ପଶୁଙ୍କୁ ଆଣିବା ଅତ୍ୟନ୍ତ କଷ୍ଟସାଧ୍ୟ ଓ ବ୍ୟୟବହୁଳ ହେଉଥିବାରୁ ଚାଷୀମାନେ ବାଧ୍ୟହୋଇ ଏଲ୍ଆଇମାନଙ୍କୁ ଘରକୁ ଡାକି ଚିକିତ୍ସା କରାଉଛନ୍ତି। ଏପରିକି ସରକାରୀ ମାଗଣା ଔଷଧ ଯୋଗାଇଦେଇ କେତେକ କର୍ମଚାରୀ ଲୋକଙ୍କଠାରୁ ଅର୍ଥ ଆଦାୟ କରୁଥିବା ନେଇ ସଙ୍ଗିନ ଅଭିଯୋଗ ଉଠିଛି।
କେବଳ ସେତିକି ନୁହେଁ, ପଶୁ ସମ୍ପଦକୁ ସୁରକ୍ଷା ଦେବା ପାଇଁ ଆରମ୍ଭ ହୋଇଥିବା ବୀମା ଯୋଜନା ମଧ୍ୟ ଏଠାରେ ସମ୍ପୂର୍ଣ୍ଣ ବାଟବଣା। ବୀମା ପଞ୍ଜୀକରଣ ହୋଇପାରୁ ନ ଥିବାରୁ ଗୋରୁ-ଗାଈଙ୍କ ମୃତ୍ୟୁ ଘଟିଲେ ଗୋପାଳକମାନେ ଚରମ ଆର୍ଥିକ କ୍ଷତିର ଶିକାର ହେଉଛନ୍ତି। ପୂର୍ବରୁ ଗୃହପାଳିତ ପ୍ରାଣୀଙ୍କୁ ଚିହ୍ନଟ କରିବା ତଥା ଆଧାର କାର୍ଡ ଭଳି କାମ କରୁଥିବା ‘କାନ ଟ୍ୟାଗିଂ’ ବ୍ୟବସ୍ଥା ମଧ୍ୟ ବନ୍ଦ ହୋଇପଡ଼ିଛି।
ଏ ସମ୍ପର୍କରେ କଳପଡ଼ା ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସମ୍ବଳ ଓ ଆବଶ୍ୟକ କର୍ମଚାରୀଙ୍କ ଅଭାବ ଯୋଗୁଁ ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ବାଧା ଉପୁଜୁଛି। ଘରକୁ ଯାଇ ଚିକିତ୍ସା କରିବା ଏଲ୍ଆଇମାନଙ୍କ ବ୍ୟକ୍ତିଗତ ବ୍ୟାପାର, ସେଥିପାଇଁ ବିଭାଗୀୟ ଭାବେ କିଛି କରିହେବ ନାହିଁ। ତେବେ ଆଗାମୀ ଦିନରେ ବୀମା ପଞ୍ଜୀକରଣ ବୃଦ୍ଧି ଏବଂ ଚିକିତ୍ସା ସେବାକୁ ସୁବ୍ୟବସ୍ଥିତ କରିବାକୁ ପ୍ରୟାସ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ବୟାଳିଶମୌଜା ଅଞ୍ଚଳରେ ତୁରନ୍ତ ଖାଲି ପଡ଼ିଥିବା ପଦବୀ ପୂରଣ କରିବା, ନୂତନ ଏଲ୍ଆଇ ନିଯୁକ୍ତି ଦେବା ଏବଂ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବିଶିଷ୍ଟ ସମାଜସେବୀ ବିଜୟ ଭୂଷଣ ପତିଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି।
