ଅଢ଼େଇ ବର୍ଷର ବିଜେପି ଶାସନରେ ଓଡ଼ିଶାରେ ହାହାକାର: ପ୍ରତାପ ଜେନା

ରାଜ୍ୟ
Spread the love
  • ବିଜେଡିର ଜନ ସମ୍ପର୍କ ପଦଯାତ୍ରାରେ ରାଜ୍ୟ ସରକାରଙ୍କ ବିଫଳତା ଉପରେ ବର୍ଷିଲେ ପୂର୍ବତନ ମନ୍ତ୍ରୀ

  • ଅଧାପନ୍ତରିଆ ମେଗା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ମାହାଙ୍ଗା ବିଧାୟକଙ୍କୁ ଟାର୍ଗେଟ

ମାହାଙ୍ଗା, ୩।୧୦ :  ଆର୍ଥିକ କୁପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଢ଼େଇ ବର୍ଷର ବିଜେପି ସରକାରରେ ଏବେ ସମଗ୍ର ଓଡ଼ିଶାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଅଭିଯୋଗ କରିଛନ୍ତି।

ଗାନ୍ଧୀ ଜୟନ୍ତୀ ଅବସରରେ ମାହାଙ୍ଗା ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ‘ଜନ ସମ୍ପର୍କ ପଦଯାତ୍ରା’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜେନା କହିଛନ୍ତି ଯେ, ବିଜେଡିର ଦୀର୍ଘ ୨୪ ବର୍ଷର ଶାସନ କାଳରେ ମାତ୍ର ୭୪ ହଜାର କୋଟି ଟଙ୍କାର ଋଣ ହୋଇଥିବା ବେଳେ ବର୍ତ୍ତମାନର ବିଜେପି ସରକାର ମାତ୍ର ଅଢ଼େଇ ବର୍ଷ ଭିତରେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କାର ଋଣ ବୋଝ ଲଦିବାକୁ ବସିଲେଣି। ଆର୍ଥିକ ଅନିୟମିତତା ସହ ରାଜ୍ୟର ବିକାଶ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି।

ସେହିପରି ମାହାଙ୍ଗାରେ ବିଜେଡି ସରକାର ସମୟରେ ୨୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ନକରି ତରବରିଆ ଭାବେ ଉଦ୍‌ଘାଟନ କରାଯାଇଥିବାରୁ ସେ ସ୍ଥାନୀୟ ବିଧାୟକ ଶାରଦା ପ୍ରଧାନ ଏବଂ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ।

ପ୍ରାରମ୍ଭରେ କଇଥା-ଚମ୍ପାପୁର ଗାନ୍ଧୀ ଶିକ୍ଷାଶ୍ରମ ପରିସରରେ ପ୍ରତିଷ୍ଠିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ଶ୍ରୀ ଜେନାଙ୍କ ନେତୃତ୍ୱରେ ଶତାଧିକ ନେତା ଓ କର୍ମୀ ଏକ ବିଶାଳ ପଦଯାତ୍ରାରେ ଭେଡ଼ା ଗ୍ରାମ ପର୍ଯ୍ୟନ୍ତ ଯାଇଥିଲେ।

ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବ୍ଲକ ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ମାହାଙ୍ଗା ବ୍ଲକ ବିଜେଡି ସଭାପତି ରାଜ କିଶୋର ଜେନା, କାର୍ଯ୍ୟକାରୀ ସଭାପତି ହୃଷୀକେଶ ସ୍ୱାଇଁ, ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ସଭାପତି ଜ୍ୟୋତି ପ୍ରକାଶ ସ୍ୱାଇଁ, ଶ୍ରୀକୃଷ୍ଣପୁର ସରପଞ୍ଚ ରାଜ କିଶୋର ବଳଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା, ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ଏବଂ ଶତାଧିକ ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ଥିଲେ।

ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନାଙ୍କ ଏହି ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ଜାଣିବା ପାଇଁ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ ଗ୍ରହଣ କରିନଥିଲେ।

Leave a Reply

Your email address will not be published. Required fields are marked *