(ସର୍ବଭାରତୀୟ ଶିକ୍ଷା ସମାଜ ଓ ୟୁଟିଆ ଶିକ୍ଷକ ସଂଘ ପକ୍ଷରୁ ଜାତୀୟ ୱେବିନାର ଅନୁଷ୍ଠିତ)
ମାହାଙ୍ଗା, ୨।୧୦: ସର୍ବଭାରତୀୟ ଶିକ୍ଷା ସମାଜ ଏବଂ ରାଜ୍ୟ ୟୁଟିଆ ଶିକ୍ଷକ ସଂଘର ମିଳିତ ଆନୁକୂଲ୍ୟରେ ‘ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଦର୍ଶନର ପ୍ରାସଙ୍ଗିକତା’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର (ୱେବିନାର) ଅନୁଷ୍ଠିତ ହୋଇଯାଇଛି। ଉଭୟ ସଂଘର ସଭାପତି ପ୍ରଫେସର ଡକ୍ଟର ଯୁଧିଷ୍ଠିର ଖଟୁଆଙ୍କ ପୌରୋହିତ୍ୟ ତଥା ଶିକ୍ଷାବିତ୍ ଅର୍ଜୁନ ପରମଗୁରୁଙ୍କ ସଂଯୋଜନାରେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ବିଶିଷ୍ଟ ଶିକ୍ଷାବିତ୍, ବୁଦ୍ଧିଜୀବୀ, ପ୍ରଫେସର ଓ ଦାର୍ଶନିକ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ଅରୁଣାଚଳ ପ୍ରଦେଶର ଇଟାନଗରସ୍ଥିତ ରାଜୀବ ଗାନ୍ଧୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଜୟଦେବ ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ଅହିଂସା, ସତ୍ୟ ଏବଂ ସହନଶୀଳତାର ଦର୍ଶନ ସମଗ୍ର ବିଶ୍ୱକୁ ନୂତନ ଦିଶା ଦେଖାଇଛି। ସେହିପରି ଶାନ୍ତିର ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ନୈତିକତା, ଦାୟିତ୍ୱବୋଧ, ସରଳତା ତଥା ଦୃଢ଼ ମନୋବଳ ପ୍ରତ୍ୟେକ ରାଜନେତାଙ୍କ ମୁଖ୍ୟ ଭୂଷଣ ହେବା ଆବଶ୍ୟକ।
ମୁଖ୍ୟବକ୍ତା ଭାବେ ହିମାଚଳ ପ୍ରଦେଶସ୍ଥିତ ଧନୋଟ ଆର୍.ସି. କଲେଜର ଅଧ୍ୟକ୍ଷା ଡ. ଜୟଶ୍ରୀ ସାମନ୍ତରାୟ ଯୋଗଦେଇ କହିଥିଲେ ଯେ, ଆତ୍ମନିର୍ଭରଶୀଳତା, ଗ୍ରାମ୍ୟ ସ୍ୱରାଜ ଏବଂ ଶୋଷଣମୁକ୍ତ ସମାଜ ଗଠନ ପାଇଁ ବାପୁଜୀ ସର୍ବଦା ଗଣ-ହୃଦୟର ମୁକୁଟବିହୀନ ସମ୍ରାଟ ହୋଇ ରହିବେ। ପ୍ରାରମ୍ଭରେ ପ୍ରଫେସର ବିମଳ ଚନ୍ଦ୍ର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଡ. ବ୍ରଜ କିଶୋର ନାୟକ, ଡ. ସରୋଜକାନ୍ତ ଚୌଧୁରୀ, ଡ. ଦୀପ୍ତାଂଶୁ ଭୂଷଣ ପତି, ଡ. ଜୟନ୍ତୀ ମିଶ୍ର, ଡ. ମିଳନ କିଶୋର ଜେନା, ଡ. କୈଳାସ ଚନ୍ଦ୍ର ପ୍ରଧାନ, ସୁନନ୍ଦ ଚରଣ ରଣା, ଟଙ୍କଧର ଦେ, ଡ. ନିରୁପମା ବେହୁରା, ଉପସଭାପତି ହେମନ୍ତ କୁମାର ଜେନା, ପ୍ରବୀର ଚନ୍ଦ୍ର ଦାସ, ଅନନ୍ତ ଚରଣ ଦାଶ, ସବିତା ଶତପଥୀ, ନମିତା ନାୟକ, ପଙ୍କଜ ବୋରା, ଅଧ୍ୟାପିକା ସୁନନ୍ଦା ଦାସ, ଉପସଭାପତି କମଳ କୁମାରୀ ଦାସ, ମୀମାଂସା ଶତପଥୀ ଓ ପଙ୍କଜ ବରାଳ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ପରିଶେଷରେ ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
