ଦିବାଟିରେ ମାଟି କାନ୍ଥ ଭୁଶୁଡ଼ି ଘର ଚୂରମାର : ଅଳ୍ପକେ ବର୍ତ୍ତିଲେ ଜେଜେ-ନାତୁଣୀ, ସହାୟତା ପାଇଁ ଦାବି

ରାଜ୍ୟ
Spread the love

କଟକ, ୦୪/୧୦: ଲଗାଣ ବର୍ଷାର ପ୍ରଭାବରେ ଏକ ଦୁଇ ବଖରା ବିଶିଷ୍ଟ ଛପର ଘର ଭୁଶୁଡ଼ି ପଡ଼ିଥିବା ବେଳେ ଘରେ ଥିବା ଜେଜେ ଓ ନାତୁଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କଟକ ସଦର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଦିବାଟି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ଦିବାଟି ଗ୍ରାମର ବାସିନ୍ଦା ଯୁଧିଷ୍ଠିର ସାମଲ (୭୦) ଏବଂ ତାଙ୍କ ନାତୁଣୀ ପୂର୍ଣ୍ଣିମା ସାମଲ (୨୧) ଘର ଭିତରେ ଶୋଇଥିବା ବେଳେ ହଠାତ୍ ସେମାନଙ୍କର ୨ ବଖରା ବିଶିଷ୍ଟ ମାଟି ଛପର ଘରଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଘର ଭାଙ୍ଗିବା ଶବ୍ଦ ଶୁଣି ଉଭୟେ ତୁରନ୍ତ ସତର୍କ ହୋଇ ବାହାରକୁ ଚାଲିଆସିବାରୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ ସପ୍ତାହରେ ହୋଇଥିବା ଲଗାତାର ବର୍ଷା ଯୋଗୁଁ ମାଟି କାନ୍ଥଟି ସମ୍ପୂର୍ଣ୍ଣ ଭିଜି ଦୁର୍ବଳ ହୋଇପଡ଼ିଥିଲା। ଏହି କାରଣରୁ ହଠାତ୍ କାନ୍ଥ ସହ ଛପର ଛାତ ଖସିପଡ଼ି ସମ୍ପୂର୍ଣ୍ଣ ଘରଟି ନଷ୍ଟ ହୋଇଯାଇଛି। ଘରଟି ଭାଙ୍ଗିଯିବା ପରେ ଏହି ଅସହାୟ ଗରିବ ପରିବାର ଏବେ ଖୋଲା ଆକାଶ ତଳେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଦୁଃଖ ପ୍ରକାଶ ପାଇଥିବା ବେଳେ କଟକ ସଦର ବ୍ଲକ୍ ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବା ସହ ଉକ୍ତ ଗରିବ ପରିବାରକୁ ସରକାରୀ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଦିବାଟି ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦୃଢ଼ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *