ଯାଜପୁର: କ୍ୟାମ୍ପସରେ ବୋମାମାଡ଼ ପରେ ଯାଜପୁରସ୍ଥିତ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଆଇନଶୃଙ୍ଖଳା ବିଗିଡ଼ିବା ଆଶଙ୍କା କରି କଲେଜ କର୍ତ୍ତୃପକ୍ଷ ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ସ୍ଥଗିତ ରଖିବା ସହ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ (Sine die) ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ଗତକାଲି କଲେଜ ପରିସରରେ ହଠାତ୍ ବୋମାମାଡ଼ ହୋଇଥିଲା, ଯାହାକୁ ନେଇ କ୍ୟାମ୍ପସରେ ଭୟ ଓ ଉତ୍ତେଜନାପୂର୍ଣ୍ଣ ବାତାବରଣ ଦେଖାଦେଇଥିଲା। ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି କଲେଜ ଅଧ୍ୟକ୍ଷ (ପ୍ରିନ୍ସିପାଲ୍) ତୁରନ୍ତ ଛାତ୍ର ସଂସଦ ନିର୍ବାଚନକୁ ସ୍ଥଗିତ ଘୋଷଣା କରିଛନ୍ତି। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କଲେଜ କର୍ତ୍ତୃପକ୍ଷ ସାଇନ୍-ଏ-ଡାଏ ଜାରି କରିବା ସହିତ ଆସନ୍ତାକାଲି ସକାଳ ସୁଦ୍ଧା ସମସ୍ତ ଅନ୍ତେବାସୀଙ୍କୁ ହଷ୍ଟେଲ ଖାଲି କରି ଚାଲିଯିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ମୁତୟନ କରାଯାଇଛି।
