ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଭୁବନେଶ୍ୱର, ସୁନ୍ଦରଗଡ଼ ଓ କଟକର ୮ଟି ସ୍ଥାନରେ ଏକକାଳୀନ ଖାନତଲାସୀ

ରାଜ୍ୟ
Spread the love

ସୁନ୍ଦରଗଡ଼   : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ପ୍ରସନ୍ନ କୁମାର ପାତ୍ରଙ୍କ ବିଭିନ୍ନ ଠିକଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ଭୁବନେଶ୍ୱର, ସୁନ୍ଦରଗଡ଼ ଏବଂ କଟକର ମୋଟ ୮ଟି ସ୍ଥାନରେ ଏହି ଖାନତଲାସୀ ଅଭିଯାନ ଆରମ୍ଭ ହୋଇଛି।

ଏହି ଚଢ଼ାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସ୍‌ପି, ୪ ଜଣ ଡିଏସ୍‌ପି, ୧୩ ଜଣ ଇନ୍ସପେକ୍ଟର, ୫ ଜଣ ଏଏସ୍‌ଆଇଙ୍କ ସମେତ ବହୁ କର୍ମଚାରୀ ସାମିଲ ରହିଛନ୍ତି।

ଯେଉଁ ୮ଟି ସ୍ଥାନରେ ଚାଲିଛି ଚଢ଼ାଉ:

  1. ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ‘ଶ୍ରାବଣୀ ରେସିଡେନ୍ସି’ର ଦ୍ୱିତୀୟ ମହଲାରେ ଥିବା ଫ୍ଲାଟ୍ ନଂ-୮।

  2. ଭୁବନେଶ୍ୱର ମଞ୍ଚନାଥ ଭିଲ୍ଲା (ଫେଜ୍-୨, ଏମ୍-୧୦୫, ପ୍ଲଟ୍ ନଂ-୬୦୯/୨୦୧୨)ରେ ଥିବା ଦୁଇ ମହଲା କୋଠା।

  3. ମଞ୍ଚନାଥ ଭିଲ୍ଲା (ଫେଜ୍-୨, ଏମ୍-୧୧୦, ପ୍ଲଟ୍ ନଂ-୬୦୪/୨୦୧୧)ରେ ଥିବା ଅନ୍ୟ ଏକ ଦୁଇ ମହଲା କୋଠା।

  4. ଖୋର୍ଦ୍ଧା ଜିଲ୍ଲା ବାଳିଅନ୍ତା ତହସିଲ ଅନ୍ତର୍ଗତ ପୈତୃକ ସମ୍ପତ୍ତିରେ ନିର୍ମିତ ମଞ୍ଚନାଥ ଭିଲ୍ଲା (ଫେଜ୍-୨, ଏମ୍-୧୧୫)ର ଦୁଇ ମହଲା ବାସଭବନ।

  5. ଭୁବନେଶ୍ୱର ବାଳିଅନ୍ତାସ୍ଥିତ ଆଉ ଏକ ଦୁଇ ମହଲା କୋଠା।

  6. ସୁନ୍ଦରଗଡ଼ସ୍ଥିତ ଉପ-ନିର୍ଦ୍ଦେଶକ (ମୃତ୍ତିକା ସଂରକ୍ଷଣ)-ତଥା-ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍‌)ଙ୍କ ସରକାରୀ କାର୍ଯ୍ୟାଳୟ ପ୍ରକୋଷ୍ଠ।

  7. ସୁନ୍ଦରଗଡ଼ ସହରରେ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସରକାରୀ ବାସଭବନ।

  8. କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଚର୍ଚ୍ଚିକା ଗ୍ରାମରେ ଥିବା ତାଙ୍କ ଶ୍ୱଶୁର ଘର।

ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଟିମ୍ ପକ୍ଷରୁ ସମସ୍ତ ସ୍ଥାନରେ ତଲାସୀ ଜାରି ରହିଛି। ଶ୍ରୀ ପାତ୍ରଙ୍କର ନଗଦ ଟଙ୍କା, ବ୍ୟାଙ୍କ ଜମା, ସୁନାଗହଣା ଓ ଅନ୍ୟାନ୍ୟ ସ୍ଥାବର-ଅସ୍ଥାବର ସମ୍ପତ୍ତିର ଆକଳନ କରାଯାଉଛି। ଖାନତଲାସୀ ଶେଷ ହେବା ପରେ ମୋଟ ସମ୍ପତ୍ତିର ପରିମାଣ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *