ନାମାଙ୍କନ ନାକଚକୁ ନେଇ ପୁଷ୍ପଗିରି କଲେଜରେ ଉତ୍ତେଜନା; ଅଧ୍ୟକ୍ଷ ଓ ରାଜନେତାଙ୍କ ବିରୋଧରେ ରୁଦ୍ରଙ୍କ ଅନଶନ

ରାଜ୍ୟ
Spread the love

ମାହାଙ୍ଗା, ୧୩/୧୦ (ଆପ୍ର): ମାହାଙ୍ଗାସ୍ଥିତ ପୁଷ୍ପଗିରି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ମେଧାବୀ ଛାତ୍ର ରୁଦ୍ରନାରାୟଣ କରଙ୍କ ନାମାଙ୍କନପତ୍ର ନାକଚ ହେବା ପରେ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇବା ସହ ତୀବ୍ର ପ୍ରତିବାଦ ଦେଖାଦେଇଛି।

ଏହାକୁ ନେଇ ରୁଦ୍ରଙ୍କ ସମର୍ଥକମାନେ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି। ଏଥିସହ ନାମାଙ୍କନପତ୍ର ନାକଚ ଘଟଣାର ତୁରନ୍ତ ପୁନର୍ବିଚାର କରି ତାଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେବା ନିମନ୍ତେ ଦୃଢ଼ ଦାବି କରିଛନ୍ତି।

ଏହି ଦାବିରେ ଗତ ସୋମବାରଠାରୁ ଛାତ୍ରନେତା ରୁଦ୍ରନାରାୟଣ ନିଜର ଗଣତାନ୍ତ୍ରିକ ଅଧିକାର ପାଇଁ ଅନଶନରେ ବସିରହିଥିବା ଦେଖିବାକୁ ମିଳିଛି। ତାଙ୍କୁ ଉଚିତ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ରୁଦ୍ରଙ୍କ ସମର୍ଥକ ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ, ଛାତ୍ରଙ୍କ ନାମାଙ୍କନପତ୍ର ନାକଚ ଘଟଣାରେ ଜିଲ୍ଲା ପ୍ରଶାସନ ଓ ନିର୍ବାଚନ ପରିଚାଳନା କମିଟିର ହସ୍ତକ୍ଷେପ ଦାବି ଜୋର ଧରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି।

ତେବେ ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏକ ନାଟକୀୟ ଢଙ୍ଗରେ ସ୍ଥାନୀୟ ପୋଲିସ ପ୍ରଶାସନ ଅନଶନ ସ୍ଥଳରୁ ରୁଦ୍ରଙ୍କୁ ଉଠାଇଆଣି ମାହାଙ୍ଗା ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲା।

ରୁଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ନଥିଲେ ମଧ୍ୟ ତାଙ୍କୁ କଟକ ବଡ଼ ଡାକ୍ତରଖାନା (ଏସସିବି)କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନିକ ସ୍ତରରେ ମସୁଧା ଚାଲିଥିଲା। ମାତ୍ର ରାଜ୍ୟ ଛାତ୍ର କଂଗ୍ରେସ ନେତାମାନେ ଘଟଣାସ୍ଥଳରେ ପହଞ୍ଚି ହସ୍ତକ୍ଷେପ କରିବାରୁ ପୋଲିସ ଓ କଲେଜ ପ୍ରଶାସନର ଚକ୍ରାନ୍ତ ବିଫଳ ହୋଇଯାଇଥିଲା।

ପରବର୍ତ୍ତୀ ସମୟରେ ରୁଦ୍ର ଡାକ୍ତରଖାନାରୁ ଫେରି ପୁଷ୍ପଗିରି କଲେଜ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ପୁନର୍ବାର ଆମରଣ ଅନଶନ ଜାରି ରଖିବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଛାତ୍ର ସମାଜ ମଧ୍ୟ ତାଙ୍କର ଏହି ନିଷ୍ଠାପର ଲଢ଼େଇକୁ ପୂର୍ଣ୍ଣ ସମର୍ଥନ ଜଣାଇ ସାମିଲ ହୋଇଛି।

କେତେକ ରାଜନେତା, କଲେଜ କର୍ତ୍ତୃପକ୍ଷ ଏବଂ ପୋଲିସ ମିଳିତ ଭାବେ ଜଣେ ମେଧାବୀ ଛାତ୍ରଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବଞ୍ଚିତ କରିବା ପାଇଁ ଯେଉଁ ହୀନ ଚକ୍ରାନ୍ତ ଚଳାଇଛନ୍ତି, ତାହାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ତୀବ୍ର ନିନ୍ଦା କରିଛନ୍ତି।

Leave a Reply

Your email address will not be published. Required fields are marked *