ଝଙ୍କଡ଼, ୧୩/୧୦/୨୦୨୬: ନୂଆପଡ଼ାଠାରୁ ବାହାରିଥିବା ୧୨ ନମ୍ବର ସାରଳା କେନାଲର ମହନପୁର ପୋଲ ନିକଟରେ ଥିବା ଗୋବରା ଗ୍ରାମରେ ଉଭୟ କନକପୁର ଓ ଗୋବିନ୍ଦପୁର ପଞ୍ଚାୟତର ଲୋକେ ବସବାସ କରନ୍ତି। ଏହି କେନାଲ ପୋଲ ଅତିକ୍ରମ କରିବା ପରେ ନବ କୁଅଁରଙ୍କ ଘର ପାଖରୁ ଅଚ୍ୟୁତାନନ୍ଦ ବେହେରାଙ୍କ ଘର ଏବଂ ସେଠାରୁ ଅରଡ଼ଙ୍ଗ ସାଇଫନ ପୋଲ ପର୍ଯ୍ୟନ୍ତ କେନାଲ ବନ୍ଧ ରାସ୍ତାଟି ବହୁ ବର୍ଷ ପୂର୍ବେ କିଛି ବାଟ ପର୍ଯ୍ୟନ୍ତ କଂକ୍ରିଟ୍ କରାଯାଇଥିଲା। ମାତ୍ର ଦୀର୍ଘ ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ଏହି କଂକ୍ରିଟ୍ ରାସ୍ତାର ଉଭୟ ପାର୍ଶ୍ୱ ଓ ମଝିରୁ କଂକ୍ରିଟ୍ ଢଳେଇ ଭାଙ୍ଗିଯାଇ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଉଭୟ ପଞ୍ଚାୟତର ଅଧିବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବର୍ଷା ଦିନେ ଏହି ଖାଲଗୁଡ଼ିକରେ ପାଣି ଜମି ରହିବା ଯୋଗୁଁ ରାସ୍ତାଟି ସମ୍ପୂର୍ଣ୍ଣ ବିପଦସଙ୍କୁଳ ହୋଇପଡ଼ୁଛି।
ସେହିପରି ମୁଖ୍ୟ ସାରଳା କେନାଲ ବନ୍ଧ ବାଟ ଦେଇ ଏରସମା ଓ ଜଗନ୍ନାଥପୁର ଅଞ୍ଚଳର ଲୋକମାନେ ଖୁବ୍ କମ୍ ସମୟରେ ତଥା କମ୍ ଦୂରତା ଅତିକ୍ରମ କରି ସିଧାସଳଖ ଜୟପୁର ନିକଟସ୍ଥ ନୂଆପଡ଼ାଠାରେ କଟକ–ପାରାଦୀପ ରାସ୍ତାରେ ପହଞ୍ଚିଥାନ୍ତି। ମାତ୍ର କିରଣ୍ଟି ପୋଲଠାରୁ ତୁଳଙ୍ଗ–ବୋଲର ପର୍ଯ୍ୟନ୍ତ ଏହି କେନାଲ ବନ୍ଧ ରାସ୍ତା ଉପରୁ ପିଚୁ ଓ ଗୋଡ଼ି ଉଠିଯାଇଥିବାରୁ, ଗାଡ଼ିମଟର ଚଳାଚଳ କ୍ଷେତ୍ରରେ ଘୋର ଅସୁବିଧା ସୃଷ୍ଟି ହେଉଛି। ପ୍ରତିଦିନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସମେତ ରୋଗୀ ଓ ବୃଦ୍ଧବୃଦ୍ଧାମାନେ ଯାତାୟାତ ପାଇଁ ନାନା ହଇରାଣ ହରକତ ହେଉଛନ୍ତି। ଏଣୁ ଜଳସମ୍ପଦ ବିଭାଗ ତରଫରୁ ବିଭାଗୀୟ ଯନ୍ତ୍ରୀମାନେ ତୁରନ୍ତ ଏହି କେନାଲ ବନ୍ଧ ରାସ୍ତାର ସ୍ଥିତି ଅନୁଧ୍ୟାନ କରି ମରାମତି ଦିଗରେ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।
