ଭୁବନେଶ୍ୱର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆସନ୍ତା ଅକ୍ଟୋବର ୧୮ ତାରିଖରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ଏଥିପାଇଁ ଲୋକସେବା ଭବନ ପରିସରରେ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଚାଲିଛି। ୧୮ ତାରିଖ ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନର ନୂତନ ଅଭିଷେକ ହଲ୍ରେ ଆୟୋଜିତ ଭବ୍ୟ ସମାରୋହରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ନୂତନ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ, ବିଧାୟକ ତଥା ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଶପଥ ଗ୍ରହଣ ଉତ୍ସବ ପରେ ନୂତନ ରାଜ୍ୟପାଳ ଶ୍ରୀକ୍ଷେତ୍ର ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିବେ ଏବଂ ପୁରୀ ରାଜଭବନରେ କିଛି ସମୟ ଅତିବାହିତ କରିବେ।
ଶପଥ ଗ୍ରହଣ ପୂର୍ବରୁ ଅକ୍ଟୋବର ୧୭ ତାରିଖରେ ନୂତନ ରାଜ୍ୟପାଳ ଭୁବନେଶ୍ୱରରେ ଆସି ପହଞ୍ଚିବେ। ତାଙ୍କ ସହିତ ଝାଡ଼ଖଣ୍ଡରୁ ପ୍ରାୟ ୩୦୦ ବିଶିଷ୍ଟ ଅତିଥି ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ଓଡ଼ିଶା ଆସୁଛନ୍ତି। ଏହି ଅତିଥିମାନେ ଅକ୍ଟୋବର ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ରାଜ୍ୟରେ ଅବସ୍ଥାନ କରିବାର ଥିବାରୁ ସେମାନଙ୍କ ରହଣି, ଯାତାୟାତ ଏବଂ ଭୁବନେଶ୍ୱର ବିମାନବନ୍ଦର ସମେତ ଭୁବନେଶ୍ୱର ଓ ପୁରୀ ରାଜଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ରୂପା ରୋଶନ ସାହୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ କୁମାର ଶର୍ମାଙ୍କୁ ପତ୍ର ଲେଖି ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ଶପଥ ଗ୍ରହଣ ସମାରୋହ ତଥା ଅତିଥି ସତ୍କାର କାର୍ଯ୍ୟ ଯେପରି ସୁରୁଖୁରୁରେ ସମ୍ପାଦିତ ହେବ, ସେଥିପାଇଁ ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ରାଜଭବନର ହାଉସହୋଲ୍ଡ ଶାଖାରେ ନୋଡାଲ ଅଫିସର ଭାବେ ନିଯୁକ୍ତି ଦେବାକୁ ପତ୍ରରେ ଉଲ୍ଲେଖ କରାଯାଇଛି।
