ଲୋକଭବନରେ ୧୪୪ଟି ଆବାସିକ କ୍ବାର୍ଟର୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର

ରାଜ୍ୟ
Spread the love

ଭୁବନେଶ୍ୱର  : ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ୧୪୪ଟି ନୂତନ ଆବାସିକ କ୍ୱାର୍ଟର୍ସ ନିର୍ମାଣ ନିମନ୍ତେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ୪ଟି ବ୍ଲକ୍‌ରେ ୯୬ଟି ‘ଇ-ଟାଇପ୍‌’ ଏବଂ ୨ଟି ବ୍ଲକ୍‌ରେ ୪୮ଟି ‘ଏଫ୍-ଟାଇପ୍‌’ କ୍ୱାର୍ଟର୍ସ ନିର୍ମାଣ କରାଯିବ।

ଷ୍ଟିଲ୍‌ଟ୍‌ (ପାର୍କିଂ ସୁବିଧା) ସହିତ ୬ ମହଲା ବିଶିଷ୍ଟ ଏହି ଆବାସିକ କୋଠାଗୁଡ଼ିକର ନିର୍ମାଣ କାର୍ଯ୍ୟ ‘ଟର୍ଣ୍ଣକି’ ଭିତ୍ତିରେ କରାଯାଉଛି। ଆସନ୍ତା ୨୦୨୮ ମସିହା ମେ’ ମାସ ସୁଦ୍ଧା ଏହି ସମସ୍ତ କ୍ୱାର୍ଟର୍ସ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ନୂତନ ଆବାସିକ ପ୍ରକଳ୍ପ ଦ୍ୱାରା ରାଜଭବନ କର୍ମଚାରୀମାନଙ୍କର ଦୀର୍ଘଦିନର ବାସଗୃହ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି।

ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ରୂପା ରୋଶନ ସାହୁ, ଇଞ୍ଜିନିୟର-ଇନ୍-ଚିଫ୍‌ (ସିଭିଲ୍‌) ପ୍ରିୟବ୍ରତ ସାମନ୍ତରାୟ, ଭୁବନେଶ୍ୱର ସେଣ୍ଟ୍ରାଲ୍‌ (ଆର୍‌ ଆଣ୍ଡ ବି) ସର୍କଲ୍‌ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମନୋଜ ମହାନନ୍ଦ ଏବଂ ଅଧୀକ୍ଷଣ ଯନ୍ତ୍ରୀ ଅରୁଣ ଅମିତାଭ ପ୍ରଧାନଙ୍କ ସମେତ ରାଜଭବନ ତଥା ପୂର୍ତ୍ତ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *