ଭୁବନେଶ୍ୱର : ରାଜ୍ୟରେ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ଆଉ ୨,୯୧,୬୬୬ଟି ନୂତନ ପକ୍କା ଘର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏଥିସହ ଏହି ଯୋଜନାର କାର୍ଯ୍ୟକାଳକୁ ଆଉ ୨ ବର୍ଷ ବୃଦ୍ଧି କରାଯାଇ ୨୦୨୭ ପରିବର୍ତ୍ତେ ୨୦୨୯ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ରାଜ୍ୟରେ ‘ସମସ୍ତଙ୍କ ପାଇଁ ପକ୍କା ଘର’ ସଂକଳ୍ପ ଖୁବ୍ଶୀଘ୍ର ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଏହି ଯୋଜନାର ମୋଟ ବଜେଟ୍ ୭,୫୫୦ କୋଟି ଟଙ୍କା ପୂର୍ବପରି ଅପରିବର୍ତ୍ତିତ ରହିବ। ତେବେ ପୂର୍ବରୁ ଘର ମରାମତି ପାଇଁ ଉଦ୍ଦିଷ୍ଟ ଥିବା ୩,୫୦୦ କୋଟି ଟଙ୍କାର ଅଂଶଧନକୁ ଏବେ ସମ୍ପୂର୍ଣ୍ଣ ନୂଆ ଘର ନିର୍ମାଣରେ ବିନିଯୋଗ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଆବାସ ଯୋଜନାରେ ୪୮,୫୦୦ ଟଙ୍କା କିମ୍ବା ତା’ଠାରୁ କମ୍ ଆର୍ଥିକ ସହାୟତା ପାଇଥିବା ପରିବାର ତଥା ଅନ୍ୟାନ୍ୟ ଯୋଗ୍ୟ ବଞ୍ଚିତ ହିତାଧିକାରୀମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଚିହ୍ନଟ କରିବା ଲାଗି ତୃଣମୂଳ ସ୍ତରରେ ସର୍ଭେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
