ରାହୁଲ ଗାନ୍ଧୀଙ୍କ ଆଚରଣକୁ ନେଇ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ: ଜବାବ ଦେବାକୁ ନିର୍ଦ୍ଦେଶ

ରାଜ୍ୟ
Spread the love

ନୂଆଦିଲ୍ଲୀ:  ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଗତ ଅକ୍ଟୋବର ୧୨ ତାରିଖରେ ହୋଇଥିବା ପ୍ରତିବାଦ ଶୋଭାଯାତ୍ରା ଏବଂ ସୁପ୍ରିମକୋର୍ଟ ପରିସରରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳିତ ପରିସ୍ଥିତିକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଗୁରୁବାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ତାଙ୍କ ଆଚରଣ ତଥା ଏଭଳି ଶୋଭାଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିବ। ରାଜନୈତିକ ଚାପ ପ୍ରୟୋଗ କରି ନ୍ୟାୟପାଳିକାକୁ କୌଣସି ପ୍ରକାରେ ପ୍ରଭାବିତ କରାଯାଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ସ୍ପଷ୍ଟ ଚେତାବନୀ ଦେଇଛନ୍ତି।

ଏହି ପ୍ରସଙ୍ଗରେ ଚାରିଜଣ ଆଇନଜୀବୀଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କଂଗ୍ରେସ ଦଳ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ଇଣ୍ଡି ମେଣ୍ଟର ନେତାମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ଅଦାଲତରେ ରାହୁଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଉପସ୍ଥିତ ଥିବା ବେଳେ ବରିଷ୍ଠ ଆଇନଜୀବୀ ଗୌରବ ଭାଟିଆ ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଶୋଭାଯାତ୍ରା ପ୍ରସଙ୍ଗ ଉଠାଇଥିଲେ। ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି ଯେ ପରବର୍ତ୍ତୀ ଶୁଣାଣି ବେଳେ ଆବେଦନକାରୀଙ୍କ ମଧ୍ୟରୁ ଜଣଙ୍କୁ ଅକ୍ଟୋବର ୧୨ର ଘଟଣାବଳୀ ନେଇ ଉତ୍ତର ରଖିବାକୁ ହେବ।

ଘଟଣା ଅନୁଯାୟୀ, ଅକ୍ଟୋବର ୧୨ରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡି ମେଣ୍ଟର ନେତାମାନେ ନିର୍ବାଚନ ଆୟୋଗଙ୍କ ବିରୋଧରେ ପ୍ରତିବାଦ ଶୋଭାଯାତ୍ରା ବାହାର କରି ସୁପ୍ରିମକୋର୍ଟ ଅଭିମୁଖେ ଯାଇଥିଲେ। ରାହୁଲ ନିଜେ ଅଦାଲତରେ ପହଞ୍ଚି ଆବେଦନ ଦାଖଲ କରିବାକୁ ଚାହିଁଥିଲେ ମଧ୍ୟ ରେଜିଷ୍ଟ୍ରି ସମୟ ଶେଷ ହେବାକୁ ବସିଥିବାରୁ ଓ ତାଙ୍କ ପହଞ୍ଚିବାରେ ବିଳମ୍ବ ହେବାରୁ ଶେଷରେ ଆଇନଜୀବୀଙ୍କ ଜରିଆରେ ଏହା ଦାଖଲ କରାଯାଇଥିଲା। ଏହି ସମୟରେ ଅଦାଲତ ପରିସରରେ ବିପୁଳ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇ ତୀବ୍ର ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ପ୍ରାୟ ୧୩ କୋଟି ଯୋଗ୍ୟ ଭୋଟର ବାଦ୍ ପଡ଼ିଥିବା ନେଇ ଇଣ୍ଡି ମେଣ୍ଟ ଓ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ମଧ୍ୟ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିସହିତ ଦିଲ୍ଲୀର ଯନ୍ତରମନ୍ତରକୁ ପ୍ରତିବାଦ ସ୍ଥଳ ତାଲିକାରୁ ବାଦ୍ ଦେବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ କେନ୍ଦ୍ର ଓ ଦିଲ୍ଲୀ ପୋଲିସକୁ ଜବାବ ତଲବ କରାଯାଇଛି। ସେହିପରି ଅକ୍ଟୋବର ୧୦ ତାରିଖରେ ସିଜେପି ବିକ୍ଷୋଭ ବେଳେ କେନ୍ଦ୍ରୀୟ ଦିଲ୍ଲୀରେ ଲାଗୁ କଟକଣାକୁ ନେଇ ରୁଜୁ ହୋଇଥିବା ଅଦାଲତ ଅବମାନନା ମାମଲାରେ ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାର ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *