ମୁମ୍ବାଇ: ମୁମ୍ବାଇରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେବା ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଆସନ୍ତା ଅକ୍ଟୋବର ୨୮ ତାରିଖ ସୁଦ୍ଧା ଭାରତ ଛାଡ଼ି ଚାଲିଯିବାକୁ ମୁମ୍ବାଇ ପୋଲିସ ପକ୍ଷରୁ ତାଙ୍କୁ ନୋଟିସ୍ ଜାରି କରାଯାଇଛି। ତେବେ ଏହି ନିର୍ବାସନ ନୋଟିସ୍ ବିରୋଧରେ ଇମ୍ରାନ୍ ଖାନ୍ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ତାଙ୍କ ଆଇନଜୀବୀ ସୂଚନା ଦେଇଛନ୍ତି। ପ୍ରଚଳିତ ନିୟମ ଅନୁଯାୟୀ, ଓସିଆଇ (ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ) କାର୍ଡଧାରୀଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ଅଂଶଗ୍ରହଣ କରିବାକୁ ବାରଣ କରାଯାଇ ନାହିଁ ବୋଲି ତାଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି।
ସୂଚନାଯୋଗ୍ୟ ଯେ, ଆମେରିକୀୟ ପାସପୋର୍ଟଧାରୀ ଇମ୍ରାନ୍ ଗତ ସପ୍ତାହରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆୟୋଜିତ ଏକ ପ୍ରତିବାଦ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏହାକୁ ନେଇ ରାଜନୈତିକ ବିବାଦ ତେଜିଥିଲା। ଭାରତୀୟ ନାଗରିକ ନ ହୋଇ ମଧ୍ୟ ଏକ ରାଜନୈତିକ ଆନ୍ଦୋଳନରେ ଭାଗ ନେଇଥିବାରୁ ବିଜେପି ନେତା କିରୀଟ ସୋମେୟା ତାଙ୍କୁ ତୁରନ୍ତ ଗିରଫ କରି ଦେଶାନ୍ତର କରିବାକୁ ଦାବି କରିଥିଲେ। ଏହି ବିକ୍ଷୋଭ ସମୟରେ ପୋଲିସ ଇମ୍ରାନଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲା, ଯାହାର ଫଟୋ ସେ ନିଜ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ।
ଏହି ଘଟଣାରେ ପ୍ରତିକ୍ରିୟା ଦେଇ ଇମ୍ରାନ୍ କହିଥିଲେ ଯେ, ସେ କୌଣସି ନିର୍ଦ୍ଦିଷ୍ଟ ଦଳୀୟ ଏଜେଣ୍ଡା ନେଇ ନୁହେଁ ବରଂ ମୁମ୍ବାଇର ଜଣେ ସଚେତନ ବାସିନ୍ଦା ଭାବେ ସେଠାରେ ଉପସ୍ଥିତ ଥିଲେ। ଏଥିସହ ନାଗରିକଙ୍କ ସ୍ୱାଧୀନ ଚଳପ୍ରଚଳ ଓ ମତାମତ ପ୍ରକାଶର ଅଧିକାରକୁ ଚାପିବା ନେଇ ସେ ପ୍ରଶ୍ନ ଉଠାଇଥିଲେ। ତେବେ ବିଦେଶୀ ନାଗରିକ ହୋଇ ଭାରତରେ ପ୍ରତିବାଦ ସଭାରେ ସାମିଲ ହୋଇଥିବାରୁ ଇମିଗ୍ରେସନ୍ ଆଇନର ଧାରା ୨୯ ଓ ୭ ଅନୁଯାୟୀ ତାଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଅନ୍ୟପକ୍ଷରେ, ଇମ୍ରାନଙ୍କ ସମର୍ଥନରେ ସିଜେପି ମୁଖ୍ୟ ଅଭିଜିତ୍ ଦୀପ୍କେ ସାମ୍ନାକୁ ଆସିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X)ରେ ପୋଷ୍ଟ କରି ଅଭିଯୋଗ କରିଛନ୍ତି ଯେ, ଆମେରିକୀୟ ନାଗରିକ ମ୍ୟାରି ମିଲବେନ୍ ବିଜେପି ସପକ୍ଷରେ ମନ୍ତବ୍ୟ ଦେଲେ କୌଣସି ଅସୁବିଧା ହେଉନାହିଁ, କିନ୍ତୁ ଭାରତୀୟ ବଂଶୋଦ୍ଭବ ଇମ୍ରାନ୍ ଖାନ୍ ଶାସକ ଦଳ ବିରୋଧରେ ମତ ରଖିଲେ ତାଙ୍କୁ ଦେଶ ଛାଡ଼ିବାକୁ ନୋଟିସ୍ ଦିଆଯାଉଛି।
