୩୩୧ ଖଣ୍ଡ ଭୋଟ ଗଣତିକୁ ୫ ଘଣ୍ଟା, ମୁଖ୍ୟ ଉପଦେଷ୍ଟାଙ୍କୁ ଅଧ୍ୟକ୍ଷ ଗଣତି କକ୍ଷକୁ ପ୍ରବେଶ ଅନୁମତି ନ ମିଳିବାକୁ ନେଇ ଅସନ୍ତୋଷ
ନେମାଳ : କଟକ ଜିଲ୍ଲାର ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ୨୦୨୬–୨୭ର ଭୋଟ ଗଣତି ପରେ ବିଭିନ୍ନ ପଦବୀର ବିଜୟୀ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ତେବେ ମାତ୍ର ୩୩୧ ଖଣ୍ଡ ଭୋଟ ଗଣତି ପାଇଁ ପ୍ରାୟ ପାଞ୍ଚ ଘଣ୍ଟା ସମୟ ଲାଗିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଗଣତି ସମୟରେ ଛାତ୍ର ସଂସଦର ମୁଖ୍ୟ ଉପଦେଷ୍ଟାଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଗଣତି କକ୍ଷକୁ ପ୍ରବେଶ କରିବାକୁ ଅନୁମତି ନ ମିଳିବା ଘଟଣାକୁ ନେଇ ମଧ୍ୟ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶିତ ଭୋଟ ବିତରଣ ତାଲିକା ଅନୁଯାୟୀ, ସଭାପତି ପଦବୀରେ ମହେଶ୍ୱର ସାହୁ ବିଜୟୀ ହୋଇଥିବାବେଳେ ସାଧାରଣ ସମ୍ପାଦକ ଭାବେ ଲକ୍ଷ୍ମୀପ୍ରିୟା ମଲ୍ଲିକ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ଅନନ୍ତ କୁମାର ସିଂହ, ମାଗାଜିନ୍ ସମ୍ପାଦକ ଭାବେ ସନ୍ଧ୍ୟାରାଣୀ ମୁଦୁଲି, ସାଂସ୍କୃତିକ ସମ୍ପାଦକ ଭାବେ ବଳବୀ ମହାନ୍ତି, ସହକାରୀ ଆଥଲେଟିକ୍ ସମ୍ପାଦକ ଭାବେ ମହମ୍ମଦ ମୁସ୍ତାକିମ୍ ଏବଂ ସହକାରୀ ମାଗାଜିନ୍ ସମ୍ପାଦକ ଭାବେ ପ୍ରିୟଙ୍କା ସାହୁ ବିଜୟୀ ହୋଇଛନ୍ତି। ନିର୍ବାଚନର ଭୋଟ ଗଣତି ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ପ୍ରାୟ ୭ଟା ପର୍ଯ୍ୟନ୍ତ ଚାଲିଥିବାରୁ ଗଣତି ପ୍ରକ୍ରିୟାର ଗତି ଓ ସମୟକୁ ନେଇ କେତେକ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି। ଏତେ କମ୍ ସଂଖ୍ୟକ ଭୋଟ ଗଣତିରେ ଅଧିକ ସମୟ ଲାଗିବାର କାରଣ କ’ଣ, ତାହାକୁ ନେଇ ପ୍ରଶ୍ନ ଉଠିଛି।ଏହା ସହିତ ଗଣତି ସମୟରେ ଛାତ୍ର ସଂସଦର ମୁଖ୍ୟ ଉପଦେଷ୍ଟାଙ୍କୁ ଅଧ୍ୟକ୍ଷ ଗଣତି କକ୍ଷକୁ ପ୍ରବେଶ କରିବାକୁ ଅନୁମତି ନ ଦେବାରୁ କର୍ମଚାରୀ ମହଲରେ ମଧ୍ୟ ଚାପା ଉତ୍ତେଜନା ଓ ଅସନ୍ତୋଷ ଦେଖାଦେଇଥିବା କୁହାଯାଉଛି। ନିର୍ବାଚନ ଗଣତି ସମୟରେ ମୁଖ୍ୟ ଉପଦେଷ୍ଟାଙ୍କ ପ୍ରବେଶକୁ କେଉଁ କାରଣରୁ ଅନୁମତି ଦିଆଯାଇନଥିଲା, ସେ ସମ୍ପର୍କରେ ସ୍ପଷ୍ଟୀକରଣ ମିଳିନଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ତେବେ ଏହି ଘଟଣା ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳି ନାହିଁ । ନିର୍ବାଚନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାରେ ସ୍ୱଚ୍ଛତା, ନିରପେକ୍ଷତା ଓ ପାରଦର୍ଶିତା ବଜାୟ ରଖିବା ସହିତ ଉଠିଥିବା ପ୍ରଶ୍ନଗୁଡ଼ିକର ସ୍ପଷ୍ଟ ଉତ୍ତର ମିଳିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
