ଝଙ୍କଡ଼ : ଝଙ୍କଡ଼ ସାରଳାପୀଠ କନକପୁର ପଞ୍ଚାୟତ ଅନ୍ତର୍ଗତ ଛତ୍ରମଠ ଗ୍ରାମର ବିଶିଷ୍ଟ ସାଂସ୍କୃତିକ ସଂଗଠକ ତଥା ସତ୍ୟନାରାୟଣ ସାଂସ୍କୃତିକ ପରିଷଦର ସମ୍ପାଦକ ରାଜକିଶୋର ସେଠୀ (ରାଜୁ)ଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା।
ସୂଚନାଯୋଗ୍ୟ ଯେ, ଛତ୍ରମଠରେ ଦୀର୍ଘ ଏକ ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି ପାଳିତ ହୋଇଆସୁଥିବା ଐତିହାସିକ ସତ୍ୟନାରାୟଣ ବାଦୀପାଲା ଗତ କିଛି ବର୍ଷ ହେବ ‘ସତ୍ୟନାରାୟଣ ସାଂସ୍କୃତିକ ପରିଷଦ’ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଆସୁଛି। ସମ୍ପାଦକ ରାଜକିଶୋର ସେଠୀଙ୍କ ନିଷ୍ଠାପର ଉଦ୍ୟମ ଓ ପ୍ରଚେଷ୍ଟା ବଳରେ ଏଠାରେ ଆୟୋଜିତ ବାଦୀପାଲା ମଞ୍ଚରେ ରାଜ୍ୟର ବହୁ ପ୍ରତିଷ୍ଠିତ ପାଲାଗାୟକ ଯୋଗଦେଇ ଆସୁଥିଲେ।
ଗତ ଶୁକ୍ରବାର ରାତି ପ୍ରାୟ ୮ଟା ୪୫ ମିନିଟରେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ହୃଦ୍ଘାତ ଯୋଗୁଁ ତାଙ୍କର ଦେହାନ୍ତ ଘଟିଥିଲା। ୧୩ ବର୍ଷ ତଳେ ତାଙ୍କ ପତ୍ନୀ ରଶ୍ମିତାଙ୍କ ପରଲୋକ ହୋଇସାରିଥିବା ବେଳେ ତାଙ୍କର ରାଜଲକ୍ଷ୍ମୀ ଓ ଋତୁପର୍ଣ୍ଣା ନାମରେ ଦୁଇଟି ଅବିବାହିତା ଝିଅ ଅଛନ୍ତି। ବିଳମ୍ବିତ ରାତିରେ ମରଶରୀର ଗ୍ରାମକୁ ଅଣାଯାଇ ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଏହି ସମୟରେ ପଦ୍ମଚରଣ ସେଠୀ, ଅକ୍ଷୟ ସେଠୀ, ଅଜୟ ସେଠୀ, ଅଶୋକ ସେଠୀ, ଆଲୋକ ସେଠୀ ଓ ଦୀପକ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ତାଙ୍କର ଉତ୍ସର୍ଗୀକୃତ ସମାଜସେବା ତଥା ସାଂସ୍କୃତିକ କାର୍ଯ୍ୟକଳାପ ପାଇଁ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ସତ୍ୟନାରାୟଣ ସାଂସ୍କୃତିକ ପରିଷଦର ସଭାପତି ଧୁନଚନ୍ଦ୍ର ସେନାପତି, ପୂର୍ବତନ ସମିତିସଭ୍ୟ ବିଭୂତିଭୂଷଣ ଦାସ, ଅରୁଣ ଖୁଣ୍ଟିଆ, ବୀରକିଶୋର ବାରିକ, ନାରାୟଣ ବାରିକ, ଦିଗମ୍ବର ରାଉତ, ମହେଶ ନାୟକ, ଦୁର୍ଯ୍ୟୋଧନ ବାରିକ, କନକପୁର ସରପଞ୍ଚ ରେବତୀ ମହାନ୍ତି, ସମାଜସେବୀ ଅଶୋକ କୁମାର ମହାନ୍ତି ଏବଂ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
