ଝଙ୍କଡ, ତା. ୨୮/୧୦/୨୦୨୬: ତିର୍ତ୍ତୋଲ କୁମାର ଉତ୍ସବ ସମିତିର ୫୩ତମ ବାର୍ଷିକୋତ୍ସବର ମହାର୍ଘ ମଞ୍ଚରେ ଉଦ୍ଘାଟନୀ ଆସରରେ ‘ଝଙ୍କଡ଼ରତ୍ନ’ ଗୋଲୋକ ବିହାରୀ ପଲାଇଙ୍କ ରଚିତ କାବ୍ୟ “କୁଆଁତାରା”ର ଶୁଭ ଉନ୍ମୋଚନ କୁମାରପୂର୍ଣ୍ଣିମା ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। କୁମାର ଉତ୍ସବ ସମିତିର ସଭାପତି ବିମଳ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ଯୋଗଦାନ କରି କୁମାର ଉତ୍ସବ ସମିତି ଦ୍ୱାରା ପ୍ରକାଶିତ ଏହି “କୁଆଁତାରା” କାବ୍ୟର ଅନାବରଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ପ୍ରତାପ କୁମାର ମିଶ୍ର, ସମ୍ମାନନୀୟ ଅତିଥି ସତ୍ୟଭାମା ମୂକବଧିର ମହାବିଦ୍ୟାଳୟର ନିର୍ଦ୍ଦେଶିକା ନିରୋଜାଲକ୍ଷ୍ମୀ ମହାପାତ୍ର, ଆର୍ସେଲର ମିତ୍ତଲ ଷ୍ଟିଲର ମୁଖ୍ୟ ନିର୍ମାଣ ଅଧିକାରୀ ଦେବଦତ୍ତ ସାମଲ, ଅନୁଷ୍ଠାନର ଉପଦେଷ୍ଟା ମଧୁସୂଦନ ପରିଜା ଏବଂ ସମ୍ପାଦକ ଡ. ଅନୀଲ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ତରାଇ ଅନ୍ୟାନ୍ୟ ଅତିଥିମାନଙ୍କ ଗହଣରେ ‘ଝଙ୍କଡ଼ରତ୍ନ’ ଶ୍ରୀ ପଲାଇଙ୍କୁ ଉତ୍ତରୀୟ ଓ ସ୍ମାରକୀ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କ ସାରସ୍ୱତ ଜୀବନର ଉତ୍ତରୋତ୍ତର ଉନ୍ନତି ଓ ନିରାମୟ ଦୀର୍ଘ ଜୀବନ କାମନା କରିଥିଲେ। ସାହିତ୍ୟ କ୍ଷେତ୍ରରେ ଏହି କାବ୍ୟଟି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାଠକୀୟ ଆଦୃତି ଲାଭ କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜେନାମଣି ଅନୀଲ ରାୟ, ପ୍ରଶାନ୍ତ ମହାନ୍ତି, ନରେଶ ମହାପାତ୍ର, ପ୍ରଦୀପ୍ତ ମହାପାତ୍ର, ବିଜୟା ମହାନ୍ତି, ନବକିଶୋର ମହାପାତ୍ର, ମଳୟ ବାରିକ, ମନୋଜ ରାୟ, ସୁଧାଂଶୁ ମହାପାତ୍ର ଓ ରାଜଶ୍ରୀ ସ୍ୱାଇଁ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସ୍ଥାନୀୟ ବୁଦ୍ଧିଜୀବୀ ତଥା ସାହିତ୍ୟାନୁରାଗୀମାନଙ୍କ ଉପସ୍ଥିତିରେ ଏହି ସାରସ୍ୱତ ଆସରଟି ବେଶ୍ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହୋଇଥିଲା।
