ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ଦୌଡ଼ରେ ସୁଶାନ୍ତଙ୍କ ଶ୍ରୀମନ୍ଦିର ବର୍ଜ୍ୟବସ୍ତୁ ନଡ଼ା ଓ ପଟିରେ ଅନନ୍ୟ କଳାକୃତି ନିଜ ହାତର ଯାଦୁରେ ତିଆରି କରିଛନ୍ତି ଶତାଧିକ ମନ୍ଦିର, ଅଟ୍ଟାଳିକା ଓ ସୌଖୀନ ସାମଗ୍ରୀ

ରାଜ୍ୟ
Spread the love

ମାହାଙ୍ଗା: ଅଦରକାରୀ ସାମଗ୍ରୀ ଯଥା କାଗଜ ପଟି ଓ ଧାନ ଗଛର ଶୁଖିଲା କୁଟା ବା ନଡ଼ା, ଯାହାକୁ କି ଆମେ ସାଧାରଣତଃ ବର୍ଜ୍ୟବସ୍ତୁ ଭାବରେ ଫିଙ୍ଗି ଦେଇଥାଉ, ସେଗୁଡ଼ିକୁ ଯତ୍ନର ସହ ଏକାଠି କରି ଅଠା ସାହାଯ୍ୟରେ ନିଜ ହାତର ଯାଦୁରେ ସୁଶାନ୍ତ ସୃଷ୍ଟି କରନ୍ତି ଗୋଟିଏ ପରେ ଗୋଟିଏ ଅନନ୍ୟ ହସ୍ତକଳାକୃତି। ଯେଉଁ କଳାକୃତିକୁ ଦେଖିଲେ ବାଟରେ ଯାଉଥିବା ଲୋକ ମଧ୍ୟ ନିଜ କାମଧନ୍ଦା ଭୁଲିଯାଇ ବେଶ୍ କିଛି କ୍ଷଣ ପାଇଁ ସେଠାରେ ଅଟକି ଯାଆନ୍ତି ଏବଂ ସେହି କଳାକୃତିର ସୌନ୍ଦର୍ଯ୍ୟରେ ବିଭୋର ହୋଇପଡ଼ନ୍ତି। ଆଉ ସେମାନଙ୍କ ଅନ୍ତରାତ୍ମାରୁ ସ୍ୱତଃସ୍ଫୂର୍ତ୍ତ ଭାବରେ ବାହାରିପଡ଼େ ‘ବାଃ!‘।

ଏହିଭଳି ଭାବରେ ବାଃ ବାଃ ସାଉଁଟି ଶତମୁଖରେ ପ୍ରଶଂସିତ ସୁଶାନ୍ତଙ୍କର ଅନେକ କଳାକୃତି ମଧ୍ୟରୁ ଏକ ସ୍ୱତନ୍ତ୍ର କଳାକୃତି “ଶ୍ରୀମନ୍ଦିର” ବର୍ତ୍ତମାନ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ଦୌଡ଼ରେ ସାମିଲ ହୋଇଥିବାରୁ ସେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, କାଠ ଖୋଦେଇ, ପଥର ଖୋଦେଇ, ଟେରାକୋଟା, ମାଟି କଣ୍ଢେଇ, ଲାଖ କାରିଗରୀ, ନଡ଼ିଆକତା ଶିଳ୍ପ, କଂସା ଓ ପିତ୍ତଳ ଆଦି ବିଭିନ୍ନ ପାରମ୍ପରିକ କ୍ଷେତ୍ରରେ ହସ୍ତକଳା ଶିଳ୍ପୀମାନଙ୍କୁ ଉଲ୍ଲେଖନୀୟ ଡିଜାଇନ୍ ଏବଂ ନୂତନତ୍ୱ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୁରସ୍କାର ଓ ମାନପତ୍ର ଆଦି ପ୍ରଦାନ କରାଯାଇ ସମ୍ମାନିତ କରାଯାଉଥିବା ବେଳେ ଚଳିତ ବର୍ଷ ସୁଶାନ୍ତଙ୍କ ହାତତିଆରି “ଶ୍ରୀମନ୍ଦିର” ଏହି ରାଜ୍ୟସ୍ତରୀୟ ପୁରସ୍କାର ଦୌଡ଼ରେ ସାମିଲ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।

ନଡ଼ା, ପଟି ଓ ଅଠାରେ ପର୍ଯ୍ୟାୟକ୍ରମେ ନିର୍ମିତ ଏହି ସୁଦୃଶ୍ୟ “ଶ୍ରୀମନ୍ଦିର” ତିଆରି କରିବାକୁ ତାଙ୍କୁ ୧ ମାସ ୨୮ ଦିନ ସମୟ ଲାଗିଛି। ଏହି ୧ ମାସ ୨୮ ଦିନ ମଧ୍ୟରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଅଧିକାରୀ ଓ କର୍ମଚାରୀମାନେ ୫ ଥର ଆସି ପର୍ଯ୍ୟାୟକ୍ରମେ ନିର୍ମାଣାଧୀନ ଏହି କଳାକୃତିକୁ ପର୍ଯ୍ୟବେକ୍ଷଣ କରିଥିଲେ ବୋଲି ସୁଶାନ୍ତ କହିଛନ୍ତି। ସେ କହିଛନ୍ତି ଯେ, “ସେମାନେ ଯେଉଁ ପର୍ଯ୍ୟନ୍ତ ଗଢ଼ିବାକୁ କହିକି ଯାଆନ୍ତି, ମୁଁ ସେହି ପର୍ଯ୍ୟନ୍ତ ଗଢ଼େ; ଆଉ ସେମାନେ ପୁଣି ଦେଖିସାରି ଯେଉଁ ପର୍ଯ୍ୟନ୍ତ କୁହନ୍ତି, ସେହିପରି ଭାବେ ଗଢ଼ି ଗଢ଼ି ଯାଏ।” ଏହିଭଳି ଭାବେ ସେମାନେ ମୋ ଘରକୁ ୫ ଥର ଆସି ଦେଖିବା ପରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରୁ କଳାକୃତିଟିକୁ ନିଜ ସାଙ୍ଗରେ ନେଇଯାଇଛନ୍ତି।

ସାଙ୍ଗରେ ନେଇଯାଇଥିବା ଏହି କଳାକୃତିଟିକୁ ସେମାନେ ପ୍ରଥମେ ଜିଲ୍ଲା ସ୍ତରରେ ଦାଖଲ କରିଥିଲେ। ସେଠାରେ ଜିଲ୍ଲାସ୍ତରୀୟ ଚୟନରେ ଏହା ମନୋନୀତ ହେବା ପରେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଇଁ ଗଠିତ ସଂପୃକ୍ତ ଉଚ୍ଚସ୍ତରୀୟ ଚୟନ କମିଟି ନିକଟକୁ ପଠାଇ ଦିଆଯାଇଛି ବୋଲି ସୁଶାନ୍ତଙ୍କ ଠାରୁ ଜଣାପଡ଼ିଛି। କଟକ ଜିଲ୍ଲା ହସ୍ତଶିଳ୍ପ ବିଭାଗର ଯେଉଁ ଅଧିକାରୀ ଏହି ହସ୍ତକଳାଟିକୁ ସୁଶାନ୍ତଙ୍କ ଘରୁ ନେଇଥିଲେ, ସେ ନିଜେ ଏହି ସୂଚନା ସୁଶାନ୍ତଙ୍କୁ ପ୍ରଦାନ କରିଛନ୍ତି। ଯଦି ଏହି “ଶ୍ରୀମନ୍ଦିର” କଳାକୃତିଟି ସେଠାରେ ନିଜର ଉତ୍କୃଷ୍ଟତା ପ୍ରତିପାଦନ କରି ଶ୍ରେଷ୍ଠ ବିବେଚିତ ହୁଏ, ତେବେ ସୁଶାନ୍ତ ଜଣେ ପ୍ରତିଭାବାନ ରାଜ୍ୟସ୍ତରୀୟ ହସ୍ତକଳା ଶିଳ୍ପୀ ଭାବରେ ପୁରସ୍କୃତ ହୋଇ ସମଗ୍ର ମାହାଙ୍ଗା ତଥା କଟକ ଜିଲ୍ଲାକୁ ଗୌରବାନ୍ୱିତ କରିବେ ବୋଲି ମାହାଙ୍ଗାବାସୀ ଦୃଢ଼ ଆଶା ପୋଷଣ କରିଛନ୍ତି।

ନଡ଼ା, ପଟି ଓ ଅଠାର ଏହି ନିଷ୍ଠାପର କାରିଗର ସୁଶାନ୍ତ କୁମାର ବେହେରାଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁମୁଡ଼ା ଜୟପୁର ଗ୍ରାମରେ। ବାପା ଭାଗୀରଥି ବେହେରା ଓ ମା’ କାମିନୀ ପ୍ରଭା ବେହେରାଙ୍କ ଔରସରୁ ଜନ୍ମିତ ସୁଶାନ୍ତଙ୍କୁ ଏବେ ୫୦ ବର୍ଷ ବୟସ ହୋଇଥିବା ବେଳେ ସେ ମାତ୍ର ୧୨ ବର୍ଷ ବୟସରୁ ଏହିଭଳି ବିଭିନ୍ନ ବର୍ଜ୍ୟବସ୍ତୁକୁ ଏକାଠି କରି ଭିନ୍ନ ଭିନ୍ନ କଳାକୃତି ଗଢ଼ି ଆସୁଛନ୍ତି ବୋଲି ତାଙ୍କର ବଡ଼ଭାଇ ପ୍ରଶାନ୍ତ ବେହେରା ପ୍ରକାଶ କରିଛନ୍ତି। ତାଙ୍କର ଧର୍ମପତ୍ନୀ ମିତାଲି ବେହେରା ଓ ସାନଭାଇ ଜୟନ୍ତ ବେହେରା ଏହି ସବୁ କାରୁକାର୍ଯ୍ୟରେ ତାଙ୍କୁ ସଦାସର୍ବଦା ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥାଆନ୍ତି ବୋଲି ସୁଶାନ୍ତଙ୍କ ମୁହଁରୁ ଶୁଣିବାକୁ ମିଳେ। ଶୁଖିଲା ଧାନ ଗଛର ନଡ଼ା ବା ଛଣ ଏହି କଳାକୃତିରେ ମୁଖ୍ୟ ଉପାଦାନ ଭାବରେ ବ୍ୟବହୃତ ହେଉଥିବା ବେଳେ ଏଥିରେ କାଗଜ ପଟି (ଔଷଧ ଖୋଳ, ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ ସାମଗ୍ରୀର ଖୋଳ) ଏବଂ ଫେଭିକଲ ଅଠା ବ୍ୟବହାର କରିଥାନ୍ତି ବୋଲି ସେ ଜଣାଇଛନ୍ତି। ବେଳେବେଳେ ବର୍ଜ୍ୟବସ୍ତୁରେ ନିର୍ମିତ ଏହି କଳାକୃତିକୁ ଆହୁରି ଅଧିକ ଆକର୍ଷଣୀୟ ଓ ଜୀବନ୍ତ କରିବା ପାଇଁ ସେ ସାମାନ୍ୟ ରଙ୍ଗ ତଥା ରଙ୍ଗୀନ କାଗଜ ଆଦିର ଉପଯୋଗ ମଧ୍ୟ କରିଥାନ୍ତି।

ଏହି ପ୍ରସିଦ୍ଧ ଶ୍ରୀମନ୍ଦିର କଳାକୃତିକୁ ବାଦ୍ ଦେଲେ ତାଙ୍କ ଦ୍ୱାରା ନିର୍ମିତ ଶତାଧିକ କଳାକୃତି ମଧ୍ୟରେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର, ଅଯୋଧ୍ୟା ରାମ ମନ୍ଦିର, ତିରୁପତି ମନ୍ଦିର, ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି, ଅନ୍ୟାନ୍ୟ ଦେବାଦେବୀଙ୍କ ମନ୍ଦିର ଓ ମୂର୍ତ୍ତି, ନୂତନ ସଂସଦ ଭବନ, ଓଡ଼ିଶା ବିଧାନସଭା, ଇଣ୍ଡିଆ ଗେଟ୍, ସୋଫା ସେଟ୍ ଏବଂ ଘରୋଇ ଉପକରଣ ସମେତ ଅନେକ ସୁଦୃଶ୍ୟ ତଥା ସୁଉଚ୍ଚ ଅଟ୍ଟାଳିକା ଆଦି ଅନ୍ୟତମ, ଯାହାକି ତାଙ୍କ ହାତର ଯାଦୁକରୀ ସ୍ପର୍ଶରେ ଅତ୍ୟନ୍ତ ଚିତ୍ତାକର୍ଷକ ଭାବେ ରୂପ ପାଇପାରିଛି। ନିକଟ ଭବିଷ୍ୟତରେ ସେ ତାଙ୍କର କେତେକ ବିଶେଷ କଳାକୃତିକୁ ନେଇ ତାମିଲନାଡୁରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ଭାଗନେବେ ଏବଂ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *