ଚେନ୍ନାଇ: ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି। ଏକତା ଏବଂ ସଦ୍ଭାବନାର ବାର୍ତ୍ତା ବହନ କରୁଥିବା ଏହି ପବିତ୍ର ପର୍ବ ପାଳନ ମଧ୍ୟରେ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ଏକାଧିକ ରକ୍ତପାତ ତଥା ୧୦ଟି ହତ୍ୟାକାଣ୍ଡ ଘଟିଯାଇଛି। ରବିବାରଠାରୁ ଆରମ୍ଭ କରି ସୋମବାର ଭୋର ସମୟ ପର୍ଯ୍ୟନ୍ତ ଏହି ସମସ୍ତ ହତ୍ୟାକାଣ୍ଡ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ କର୍ତ୍ତବ୍ୟରତ ପୋଲିସ ସ୍ପେଶାଲ ସବ୍-ଇନ୍ସପେକ୍ଟର (ଏସଏସଆଇ) ମଧ୍ୟ ରହିଛନ୍ତି। ତେବେ ଏହି ସମସ୍ତ ହତ୍ୟାକାଣ୍ଡ ପରସ୍ପର ସହିତ ଜଡ଼ିତ ନୁହେଁ ଏବଂ ଭିନ୍ନ ଭିନ୍ନ କାରଣରୁ ଘଟିଛି ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ପୋଲିସ ସୂଚନା ଅନୁସାରେ, ଥେନି ଜିଲ୍ଲାରେ ଏସଏସଆଇ ସେନ୍ଥିଲ କୁମାରଙ୍କ ମୃତ୍ୟୁ ଘଟିଛି। ରାସ୍ତା ମଝିରେ ବାଣ ଫୁଟାଇବା ଏବଂ ସୋସିଆଲ ମିଡିଆ ପାଇଁ ରିଲ୍ସ ତିଆରି କରିବା ଯୋଗୁଁ ସାଧାରଣ ଯାତାୟାତରେ ଗମ୍ଭୀର ବାଧା ସୃଷ୍ଟି ହେଉଥିଲା। ଏହାକୁ ଦେଖି କିଛି ଉତ୍ପାତୀ ଯୁବକଙ୍କୁ ସେନ୍ଥିଲ କୁମାର ତାଗିଦ୍ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଯୁବକମାନେ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଆହତ ହୋଇ ସୋମବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
ସେହିପରି କୁଡ୍ଡାଲୋର ଜିଲ୍ଲାରେ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପୃଥ୍ୱୀରାଜ ନାମକ ଜଣେ ବ୍ୟକ୍ତିଙ୍କର ହତ୍ୟା ଘଟିଛି। ଅରୁଳରାସନଙ୍କ ସହ ହୋଇଥିବା ବିବାଦ ପରେ ତାଙ୍କ ଉପରେ ଏହି ପ୍ରାଣଘାତୀ ଆକ୍ରମଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଅରୁଳରାସନଙ୍କୁ ଏନକାଉଣ୍ଟର କରି ଗିରଫ କରିଛି। ଅନ୍ୟପକ୍ଷରେ, ଚେନ୍ନାଇର ବ୍ୟାସରପାଡ଼ି ଅଞ୍ଚଳରେ ଧନୁଷ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପୁରୁଣା ଶତ୍ରୁତା ହିଁ ଏହି ଘଟଣାର ମୁଖ୍ୟ କାରଣ ବୋଲି ପୋଲିସ ସନ୍ଦେହ କରୁଛି। ଧନୁଷ ବୃତ୍ତିରେ ଜଣେ ଅଟୋ ଚାଳକ ଥିଲେ। ନିଜ ଭାଇଙ୍କୁ ଆକ୍ରମଣ କରିଥିବା ଲୋକଙ୍କୁ ପଚାରିବାକୁ ଯାଇଥିବା ବେଳେ ଏକ ଗୋଷ୍ଠୀ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଧନୁଷଙ୍କୁ ଷ୍ଟାନଲି ସରକାରୀ ଡାକ୍ତରଖାନାକୁ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଛଅ ଜଣ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ଦୁଇଟି ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇ ତଦନ୍ତ ଜାରି ରହିଛି।
ତିରୁଚିରାପଲ୍ଲୀ ଜିଲ୍ଲାର ସମୟପୁରମ୍ ଅଞ୍ଚଳରେ ମଧ୍ୟ ଦୁଇ ଜଣ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ବିଳମ୍ବିତ ରାତିରେ ପୁଲ୍ଲମ୍ବାଡି କେନାଲ ନିକଟରେ ସେମାନଙ୍କୁ କେତେକ ଅଜଣା ବ୍ୟକ୍ତି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତିନୋଟି ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ସେହି ଜିଲ୍ଲାରେ ଘଟିଥିବା ଆଉ ଏକ ଅଭାବନୀୟ ଘଟଣାରେ ଚେନ୍ନାଇରେ କାର୍ଯ୍ୟରତ ଜଣେ ୨୦ ବର୍ଷୀୟ ଆଇଟି କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦୀପାବଳି ଛୁଟି ପାଳନ ପାଇଁ ଘରକୁ ଆସିଥିବା ଏହି ଯୁବକ ନିଜ ସାଙ୍ଗମାନଙ୍କ ସହ ମିଶି ବାଣ ଫୁଟାଉଥିଲେ। ରାସ୍ତାରେ ବାଣ ଫୁଟାଇବାକୁ ନେଇ କେତେକ ସ୍ଥାନୀୟ ବାସିନ୍ଦାଙ୍କ ସହ ତାଙ୍କର ପ୍ରବଳ ବଚସା ହୋଇଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଉଗ୍ର ରୂପ ନେଇ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା।
ପେରାମ୍ବଲୁର ଜିଲ୍ଲାରେ ଆର୍ ରବି ନାମକ ଜଣେ ବ୍ୟକ୍ତି ଦୀପାବଳି ପାଳନ ଉଦ୍ଦେଶ୍ୟରେ ସାଙ୍ଗମାନଙ୍କ ସହ ଘରୁ ବାହାରକୁ ଯାଇଥିଲେ। ସୋମବାର ଭୋର ସମୟରେ ଏକ ସ୍ଥାନୀୟ ମନ୍ଦିର ନିକଟରୁ ତାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା। ସେହିପରି ଅରୁପ୍ପୁକୋଟ୍ଟାଇ ନିକଟରେ ମଧ୍ୟ ଏକ ଗୋଷ୍ଠୀଗତ ବିବାଦ ପରେ ଜଣେ ୨୫ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଶିବଗଙ୍ଗା ଜିଲ୍ଲାରେ ମଧ୍ୟ ଦୁଇଟି ପୃଥକ ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସ ସୂଚନା ଦେଇଛି।
ପୋଲିସର ପ୍ରାଥମିକ ଅନୁସନ୍ଧାନ ଅନୁସାରେ, ଏହି ଅଧିକାଂଶ ଘଟଣା ପଛରେ ପୂର୍ବ ଶତ୍ରୁତା, ଅତ୍ୟଧିକ ମଦ୍ୟପାନ, ଅସାମାଜିକ ଉତ୍ପାତ ଏବଂ ହଠାତ୍ ସୃଷ୍ଟି ହୋଇଥିବା ଉତ୍ତେଜନା ହିଁ ମୁଖ୍ୟ କାରଣ ସାଜିଛି। ରାସ୍ତାରେ ବାଣ ଫୁଟାଇବା କିମ୍ବା ଅନ୍ୟର ଘର ଆଡ଼କୁ ବାଣ ଫିଙ୍ଗିବା ଭଳି କ୍ଷୁଦ୍ର ବିବାଦଗୁଡ଼ିକ ଉଗ୍ର ଆକାର ଧାରଣ କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡର ରୂପ ନେଇଛି। ଏହି ସମସ୍ତ ଘଟଣା ପରେ ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
