ବାଲେଶ୍ୱର, ୧୦ ନଭେମ୍ବର ୨୦୨୬: “ଆଜି ଓଡ଼ିଶା ପାଇଁ ଏକ ଐତିହାସିକ ଦିବସ। ଆଜିଠାରୁ ରାଜ୍ୟର କୌଣସି ଗୁରୁଜନ, ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗଜନ କିମ୍ବା ଅସହାୟ ବ୍ୟକ୍ତି ଆଉ ସରକାରୀ ସହାୟତାରୁ ବଞ୍ଚିତ ହେବେ ନାହିଁ। ଆଜିଠାରୁ ମଧୁବାବୁ ପେନସନ୍ ପାଇବା ପାଇଁ କୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଅପେକ୍ଷାର ଯୁଗ ଶେଷ ହେଲା; ଆରମ୍ଭ ହେଲା ଆପଣମାନଙ୍କ ଅଧିକାରକୁ ସମ୍ମାନ ଦେବାର ଯୁଗ।” ଆଜି ବାଲେଶ୍ୱରସ୍ଥିତ ରିଜର୍ଭ ପୋଲିସ ଲାଇନ୍ ପଡ଼ିଆଠାରେ ଆୟୋଜିତ ମଧୁବାବୁ ପେନସନ୍ ଯୋଜନାରେ ସାମାଜିକ ସୁରକ୍ଷା ଭତ୍ତା ସମ୍ପୂର୍ଣ୍ଣତାର ଶୁଭାରମ୍ଭ ତଥା UPMP ପୋର୍ଟାଲ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାରଙ୍କ ସମୟରେ ଉଭୟ ରାଜ୍ୟ ଓ ଜିଲ୍ଲା ପାଇଁ ଏକ ନିର୍ଦ୍ଦିଷ୍ଟ କୋଟା ବ୍ୟବସ୍ଥା ରହିଥିବାରୁ ପେନସନ୍ ପାଉଥିବା ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ ପରେ ହିଁ ଅନ୍ୟ ଜଣେ ନୂତନ ଯୋଗ୍ୟ ବ୍ୟକ୍ତିଙ୍କୁ ସୁଯୋଗ ମିଳୁଥିଲା। ଏହି ସମ୍ବେଦନହୀନ ଓ ଅମାନବୀୟ ବ୍ୟବସ୍ଥାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ସମାପ୍ତ କରିଛନ୍ତି। ଚଳିତ ବର୍ଷର ବଜେଟ୍ ପ୍ରତିଶ୍ରୁତି ଅନୁଯାୟୀ ଆଜି ଆଉ ୫,୦୫,୮୧୭ ଜଣ ଯୋଗ୍ୟ ବ୍ୟକ୍ତିଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ନୂତନ ଭାବେ ସାମିଲ କରାଯାଇଛି। ଫଳରେ ରାଜ୍ୟରେ ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା ୪୧,୮୦,୮୨୫କୁ ବୃଦ୍ଧି ପାଇଛି ଏବଂ ଏହି ଯୋଜନା ବର୍ତ୍ତମାନ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ ସାଚୁରେସନ୍ ବା ସମ୍ପୂର୍ଣ୍ଣତା ହାସଲ କରିଛି।
ଏହି ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କ ପାଇଁ ବାର୍ଷିକ ମାତ୍ର ୬୨୫ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ। ସରକାରଙ୍କ ବିଭିନ୍ନ ଯୋଜନାରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମାତ୍ର ୫୦୦ରୁ ୬୦୦ କୋଟି ଟଙ୍କା ପାଇଁ ଆମର ଗୁରୁଜନମାନଙ୍କୁ ଭତ୍ତା ଲାଗି ହନ୍ତସନ୍ତ କରିବା କୌଣସି ଦୃଷ୍ଟିରୁ ଶୋଭନୀୟ ନୁହେଁ। ତେଣୁ ବୟୋଜ୍ୟେଷ୍ଠଙ୍କ କଲ୍ୟାଣ ତଥା ସୁରକ୍ଷା ପାଇଁ ଏହି ଅର୍ଥ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଯଥାର୍ଥ ଓ ସାର୍ଥକ ବିନିଯୋଗ ବୋଲି ସେ ମତବ୍ୟକ୍ତ କରିଥିଲେ।
ଭତ୍ତା ବଣ୍ଟନ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ‘Unified Pension Management Portal’ (UPMP) ଉନ୍ମୋଚନ କରିଥିଲେ। ଯୋଗ୍ୟ ବ୍ୟକ୍ତିମାନେ ଏଣିକି ଏହି ପୋର୍ଟାଲ ଜରିଆରେ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ର (CSC) ଏବଂ ବିଡିଓଙ୍କ କାର୍ଯ୍ୟାଳୟ ମାଧ୍ୟମରେ ସହଜରେ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ କରିଥିବା ପରବର୍ତ୍ତୀ ମାସଠାରୁ ହିଁ ନିୟମିତ ଭାବେ ଭତ୍ତା ରାଶି ମିଳିବା ଆରମ୍ଭ ହେବ। ଏହା ସହିତ ୮୦ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କୁ ବର୍ଦ୍ଧିତ ୩,୫୦୦ ଟଙ୍କା ପାଇବା ପାଇଁ ଆଉ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ, ବରଂ ବୟସସୀମା ପୂର୍ଣ୍ଣ ହେବା ମାତ୍ରେ ଡାଟାବେସ୍ ଆଧାରରେ ଏହା ସ୍ୱୟଂକ୍ରିୟ ଭାବେ ଲାଗୁ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।
ସୂଚନାଯୋଗ୍ୟ ଯେ, ନୂତନ ହିତାଧିକାରୀମାନେ ଅକ୍ଟୋବର ଓ ନଭେମ୍ବର ମାସର ଭତ୍ତା ଏକାଠି ପାଇବେ। ଏଥିପାଇଁ ଜିଲ୍ଲା ସ୍ତରରେ ନଭେମ୍ବର ୧୧ ରୁ ୧୩ ଏବଂ ବ୍ଲକ୍ ସ୍ତରରେ ନଭେମ୍ବର ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯେଉଁମାନେ ଏହି କାର୍ଯ୍ୟକ୍ରମରେ ପାଇବାରୁ ବଞ୍ଚିତ ହେବେ, ସେମାନେ ନଭେମ୍ବର ୨୫ ତାରିଖରେ ନିଜ ନିଜ ପଞ୍ଚାୟତ ବା ପୌରପାଳିକା କାର୍ଯ୍ୟାଳୟରୁ ସିଧାସଳଖ ନଗଦ ଭତ୍ତା ଗ୍ରହଣ କରିପାରିବେ। ଏହାପରେ ଆସନ୍ତା ଡିସେମ୍ବର ମାସଠାରୁ ପ୍ରତି ମାସର ୧୫ ତାରିଖରେ ନିୟମିତ ଭାବେ ସମସ୍ତଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ।
ଏହି ଅବସରରେ ବାଲେଶ୍ୱର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ପ୍ରାୟ ୩୪୦ କୋଟି ଟଙ୍କା ବ୍ୟୟଅଟକଳର ମୋଟ ୭୦ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏଥିମଧ୍ୟରେ ୭୮ କୋଟି ଟଙ୍କାର ୨୮ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୨୬୨ କୋଟି ଟଙ୍କାର ୪୨ଟି ନୂତନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଅନ୍ତର୍ଭୁକ୍ତ ରହିଛି।
କାର୍ଯ୍ୟକ୍ରମ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ କରକମଳରୁ ସିଧାସଳଖ ଭାବେ ମଧୁବାବୁ ପେନସନ୍ ଯୋଜନାରେ ସଦର ବାଲେଶ୍ୱରରୁ ଅମୂଲ୍ୟ ଆଚାର୍ଯ୍ୟ ଓ ଫୁଲାମଣି ମାରାଣ୍ଡି, ରେମୁଣାରୁ ଶିବା ସିଂହ ଓ ଜୟନ୍ତୀ ସାହୁ, ନୀଳଗିରିରୁ ପ୍ରଫୁଲ୍ଲ ନାୟକ ଓ ହୀରନ ଦାସ ଏବଂ ନୀଳଗିରି ଏନଏସି ଅଞ୍ଚଳରୁ ଗାୟତ୍ରୀ ବେହେରା ଓ ଗଜେନ୍ଦ୍ର ମହାପାତ୍ର ପ୍ରମୁଖ ଭତ୍ତା ଗ୍ରହଣ କରିଥିଲେ। ଏହା ସହିତ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପ୍ରସ୍ତୁତ ‘ମଧୁବାବୁ ପେନସନ୍ ଯୋଜନା’ ସଚେତନତା ରଥକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ କହିଥିଲେ ଯେ, ଆଜି ଯେଉଁଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଅଛନ୍ତି, ସେଠାରେ କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ (SME) ମଧ୍ୟ ଗଢ଼ି ଉଠୁଛି। ଏବେ ମହିଳାମାନେ କେବଳ ସାଧାରଣ ‘ହିତାଧିକାରୀ’ ହୋଇ ରହିବେ ନାହିଁ, ବରଂ ସେମାନେ ଆଗାମୀ ଦିନରେ ସଫଳ ଉଦ୍ୟୋଗୀ ହେବେ। ଆମର ଜନକଲ୍ୟାଣକାରୀ ସରକାର ପ୍ରତ୍ୟେକ ନାଗରିକଙ୍କୁ ନିଜର ପ୍ରାପ୍ୟ ଓ ନ୍ୟାଯ୍ୟ ଅଧିକାର ପ୍ରଦାନ ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ। ତେଣୁ ପୂର୍ବ ସରକାର ସମୟରେ ଭତ୍ତା ପାଇଁ ହେଉଥିବା ଦୀର୍ଘଦିନର କଷ୍ଟଦାୟକ ଅପେକ୍ଷା ଆଉ କାହାକୁ କରିବାକୁ ପଡ଼ିବ ନାହିଁ।
ସେହିପରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ବକ୍ତବ୍ୟରେ କହିଥିଲେ ଯେ, ପେନସନ୍ କେବଳ ଏକ ସାମାନ୍ୟ ଆର୍ଥିକ ସହାୟତା ନୁହେଁ, ବରଂ ଏହା ମଣିଷର ଆତ୍ମସମ୍ମାନ ଓ ସାମାଜିକ ନିରାପତ୍ତାର ଏକ ଶକ୍ତ ପ୍ରତୀକ। ଆମ ସରକାର ବିଶେଷ କରି ବୃଦ୍ଧ, ଅସହାୟ, ବିଧବା ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ କିପରି ବିନା ବାଧାରେ ସୁରୁଖୁରୁରେ ପ୍ରତି ମାସରେ ପେନସନ୍ ଯୋଗାଇ ଦିଆଯାଇପାରିବ, ସେ ଦିଗରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି।
ସଭାରେ ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ କହିଥିଲେ ଯେ, ଆଜି ବାଲେଶ୍ୱର ଜିଲ୍ଲାବାସୀଙ୍କ ପାଇଁ ଏକ ଅତ୍ୟନ୍ତ ଆନନ୍ଦ ଓ ସ୍ୱତନ୍ତ୍ର ଅବସର, ଯେଉଁଠାରେ ମୁଖ୍ୟମନ୍ତ୍ରୀ ସ୍ୱୟଂ ଉପସ୍ଥିତ ରହି ଯୋଗ୍ୟ ହିତାଧିକାରୀମାନଙ୍କୁ ମଧୁବାବୁ ପେନସନ୍ ବଣ୍ଟନ କରୁଛନ୍ତି।
ଏହି ବୃହତ ସମାବେଶରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସିମୁଳିଆ ବିଧାୟକ ଶ୍ରୀ ପଦ୍ମଲୋଚନ ପଣ୍ଡା, ବାଲେଶ୍ୱର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ କୁମାର ଖଟୁଆ, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ବିଭାଗୀୟ କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାୟକ / ବୃନ୍ଦା ଡି., ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ବିପୁଳ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।
