କୋଟିଆରେ ଆନ୍ଧ୍ରର ନିର୍ବାଚନ ଷଡ଼ଯନ୍ତ୍ର ପଣ୍ଡ କରିବାକୁ ଓଡ଼ିଶା ପ୍ରଶାସନର କଡ଼ା ପହରା: ସୀମାନ୍ତରେ ବଢ଼ିଲା ସୁରକ୍ଷା ଓ ଜନସମ୍ପର୍କ

ରାଜ୍ୟ
Spread the love

ଭୁବନେଶ୍ୱର: ଜିଲ୍ଲା ପରିଷଦ ନିର୍ବାଚନ ପରେ ଏବେ ପୁଣି କୋଟିଆରେ ସରପଞ୍ଚ ଓ ୱାର୍ଡ଼ ସଭ୍ୟ ନିର୍ବାଚନ କରାଇବା ପାଇଁ ଆନ୍ଧ୍ର ପ୍ରଦେଶ ଜୋରଦାର ପ୍ରସ୍ତୁତି ଚଳାଇଛି। ଆସନ୍ତା ୨୯ ତାରିଖରେ ଏହି ନିର୍ବାଚନ କରିବାକୁ ଆନ୍ଧ୍ର ଲକ୍ଷ୍ୟ ରଖିଥିବା ବେଳେ, ଗତ ଥର ଭଳି ଏଥର ମଧ୍ୟ ତାର ସମସ୍ତ ଅପଚେଷ୍ଟା ତଥା ଉଦ୍ୟମକୁ ଭଣ୍ଡୁର କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଓଡ଼ିଶା ପ୍ରଶାସନ। କୋଟିଆ ସୀମାନ୍ତରେ ସୁରକ୍ଷା ବାହିନୀ ପକ୍ଷରୁ ସ୍ୱତନ୍ତ୍ର ଚେକ୍‌ପୋଷ୍ଟ ନିର୍ମାଣ କରାଯାଇ ଦିନରାତି କଡ଼ା ପହରା ଦିଆଯାଉଛି। ଏଥିସହିତ ବିଭିନ୍ନ ଗ୍ରାମରେ ଜନସମ୍ପର୍କ ଶିବିର ମାଧ୍ୟମରେ କୋଟିଆବାସୀଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ କୋରାପୁଟ ଜିଲ୍ଲା ଓ ପୋଲିସ ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି।

କୋଟିଆ-ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଓଡ଼ିଶା ପୋଲିସ ନିୟମିତ ପାଟ୍ରୋଲିଂ କରିବା ସହିତ ଚେକ୍‌ପୋଷ୍ଟ ଜରିଆରେ ପ୍ରତ୍ୟେକଟି ଯାନବାହାନକୁ କଡ଼ାକଡ଼ି ଭାବେ ଯାଞ୍ଚ କରୁଛି। ଏହି ସୀମା ଦେଇ ଯିବାଆସିବା କରୁଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇ ପଚରାଉଚୁରା କରାଯାଉଛି। ଆସନ୍ତା ୨୯ରେ କୋଟିଆରେ ସରପଞ୍ଚ ଓ ୱାର୍ଡ଼ ସଭ୍ୟ ନିର୍ବାଚନ କରି ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଆନ୍ଧ୍ର ପ୍ରଶାସନ ଯେଉଁ ଚକ୍ରାନ୍ତ ଚଳାଇଛି, ତାହାକୁ ପ୍ରତିହତ କରିବାକୁ ଓଡ଼ିଶାର ସୁରକ୍ଷା କର୍ମୀମାନେ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।

ଓଡ଼ିଶା ପକ୍ଷରୁ କୋଟିଆର ତିନୋଟି ପ୍ରମୁଖ ସମ୍ବେଦନଶୀଳ ସ୍ଥାନରେ ପୋଲିସ ଚେକ୍‌ପୋଷ୍ଟ ସ୍ଥାପନ କରାଯାଇଛି। ସୀମାନ୍ତ ଗ୍ରାମ ନେରେଡ଼ିୱାଲସା, ଫାଟୁସିନେରି ଏବଂ ଉପରସେମ୍ବିରେ ଏହି ଅସ୍ଥାୟୀ ଚେକ୍‌ପୋଷ୍ଟ ନିର୍ମାଣ କରାଯାଇ ବନ୍ଧୁକଧାରୀ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ଗତ ୫ ତାରିଖରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପରଠାରୁ ହିଁ ନେରେଡ଼ିୱାଲସା ସମେତ ଅନ୍ୟାନ୍ୟ ସୀମାରେ ଏଭଳି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

ପୂର୍ବରୁ ଆନ୍ଧ୍ର ପକ୍ଷରୁ ଉପରସେମ୍ବି ଗ୍ରାମରେ ଏକ ଚେକ୍‌ପୋଷ୍ଟ ସ୍ଥାପନ କରାଯାଇଥିଲା। ମାତ୍ର ଓଡ଼ିଶା ପ୍ରଶାସନ ସାହସିକତାର ସହ ଆନ୍ଧ୍ରର ସେହି ଚେକ୍‌ପୋଷ୍ଟକୁ ସେଠାରୁ ହଟାଇ ଏବେ ନିଜେ ସେହି ସ୍ଥାନରେ ଦୃଢ଼ ଭାବରେ ଜଗି ରହିଛି। ଏପରିକି ସେଠାରେ ଥିବା ଏକ ପାଣି ଟାଙ୍କି ଉପରେ ଆନ୍ଧ୍ର ପକ୍ଷରୁ ଲଗାଯାଇଥିବା ସିସିଟିଭି (CCTV) କ୍ୟାମେରାକୁ ମଧ୍ୟ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି। କେବଳ ଏହି ଚେକ୍‌ପୋଷ୍ଟ ନୁହେଁ, ପାଖରେ ଥିବା ଏକ ଘରେ ପୂର୍ବରୁ ଆଡ୍ଡା ଜମାଇ ରହୁଥିବା ଆନ୍ଧ୍ର ପୋଲିସକୁ ମଧ୍ୟ ତଡ଼ି ଦିଆଯାଇଛି ଏବଂ ସେଠାରେ ବର୍ତ୍ତମାନ ଓଡ଼ିଶା ପୋଲିସର ଯବାନମାନେ ସ୍ଥାୟୀ ଭାବେ ମୁତୟନ ହୋଇଛନ୍ତି।

ଉପରସେମ୍ବି ଗ୍ରାମ ସୀମାରେ ପୋଲିସ କେବଳ ଚେକ୍‌ପୋଷ୍ଟ କରି ପହରା ଦେଉନାହିଁ, ବରଂ ସ୍ଥାନୀୟ ଗ୍ରାମବାସୀଙ୍କୁ ଏକତ୍ରିତ କରି ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ନିୟମିତ ଜନସମ୍ପର୍କ ଶିବିର ମଧ୍ୟ ଆୟୋଜନ କରୁଛି। ଏହି ଶିବିରରେ ସ୍ଥାନୀୟ ବାସିନ୍ଦାଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କ ମୌଳିକ ସମସ୍ୟା ସମ୍ପର୍କରେ ପ୍ରଶାସନିକ ଅଧିକାରୀମାନେ ପଚାରି ବୁଝୁଛନ୍ତି। ଶିବିର ସାରି ଘରକୁ ଫେରିବା ସମୟରେ ମହିଳାମାନଙ୍କୁ ପ୍ରଶାସନ ପକ୍ଷରୁ ଗୋଟିଏ ଲେଖାଏଁ ନୂତନ ଶାଢ଼ୀ ଉପହାର ସ୍ୱରୂପ ପ୍ରଦାନ କରାଯାଉଛି। ଏହା ମାଧ୍ୟମରେ ସ୍ଥାନୀୟ ଆଦିବାସୀ ଜନସାଧାରଣ ଓ ପୋଲିସ-ପ୍ରଶାସନ ମଧ୍ୟରେ ଥିବା ବିଶ୍ୱାସ ତଥା ସମ୍ପର୍କକୁ ଅଧିକ ନିବିଡ଼ ଓ ମଜଭୁତ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।

ଅନ୍ୟପକ୍ଷରେ କୋଟିଆରେ ଓଡ଼ିଶା ପକ୍ଷରୁ ଶତ ପ୍ରତିଶତ ‘ଏସ୍‌ଆଇଆର୍‌’ (Special Intensive Revision) ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଥିବା ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଦାବି କରିଛି। କୋରାପୁଟ ଜିଲ୍ଲାପାଳଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ, କୋଟିଆରେ ସଠିକ୍ ଭାବେ ଘରୋଇ ସର୍ଭେ (ହାଉସହୋଲ୍ଡ ସର୍ଭେ) ଓ ଡିଜିଟାଲ ସର୍ଭେ ସମ୍ପାଦିତ ହୋଇଛି। ଏହି ସର୍ଭେରୁ ମିଳିଥିବା ତଥ୍ୟ ଅନୁସାରେ, ପଞ୍ଚାୟତର ୨୧ଟି ବିବାଦୀୟ ଗ୍ରାମରେ ପ୍ରାୟ ୨୨ଶହରୁ ଊର୍ଦ୍ଧ୍ୱ ପରିବାର ବାସ କରୁଥିବା ବେଳେ ସମୁଦାୟ ୫ ହଜାର ୩୦୫ ଜଣ ଯୋଗ୍ୟ ଭୋଟର ରହିଥିବା ସ୍ପଷ୍ଟ ହୋଇଛି। ତେବେ ଆନ୍ଧ୍ର ପ୍ରଦେଶ ସରକାର ସେଠାରେ କୌଣସି ପ୍ରକାର ଏସ୍‌ଆଇଆର୍ କରିନଥିବା ସତ୍ତ୍ୱେ, ନିଜର ପୁରୁଣା ତଥା ତ୍ରୁଟିପୂର୍ଣ୍ଣ ଭୋଟର ତାଲିକାକୁ ଆଧାର କରି କୋଟିଆବାସୀଙ୍କୁ ନିର୍ବାଚନରେ ଭୋଟର ଭାବେ ବେଆଇନ ଭାବେ ବ୍ୟବହାର କରିବାକୁ ତିଳେ ହେଲେ ପଛଘୁଞ୍ଚା ଦେଉନାହିଁ।

ଅତୀତରେ କୋଟିଆବାସୀଙ୍କୁ ନାନାଦି ପ୍ରଲୋଭନ ଓ ଆର୍ଥିକ ସୁବିଧା ଦେଖାଇ ନିର୍ବାଚନରେ ମତଦାନ କରାଉଥିବା ଆନ୍ଧ୍ରକୁ ଏଥର ପଞ୍ଚାୟତ ନିର୍ବାଚନରେ ଶକ୍ତ ଚେକ୍‌ ଦେଇଛି ଓଡ଼ିଶା। ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନର କଠୋର ଆଭିମୁଖ୍ୟ ଏବଂ ଆଗୁଆ ସୁରକ୍ଷା ପଦକ୍ଷେପ ଫଳରେ ଆନ୍ଧ୍ର ପ୍ରଶାସନ ଅନେକାଂଶରେ ବ୍ୟାକଫୁଟ୍‌କୁ ଚାଲିଯାଇଛି। ସୀମାରେ ଓଡ଼ିଶାର ଏଭଳି ସକ୍ରିୟତା ଆଗାମୀ ଦିନରେ କୋଟିଆର ସ୍ଥିରତା ଓ ସୁରକ୍ଷା ଦିଗରେ ଏକ ନିର୍ଣ୍ଣାୟକ ମୋଡ଼ ନେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *