ଫୁକେଟ୍, ୧୬।୧୧: ଥାଇଲାଣ୍ଡର ଫୁକେଟ୍ରେ ଥିବା ଏକ କମର୍ସିଆଲ୍ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ସପିଂ ମଲ୍ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ୧୧ ଜଣ ଲୋକ ଜୀଅନ୍ତା ଜଳିଯାଇ ପ୍ରାଣ ହରାଇଛନ୍ତି। ଏହାସହ ଏହି ଅଘଟଣରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ମିଳିଥିବା ରିପୋର୍ଟ ଅନୁସାରେ, ସୋମବାର ସକାଳେ ସପିଂ ମଲ୍ରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ଏହା ଖୁବ୍ ଶୀଘ୍ର ପାଖଆଖରେ ଥିବା ଅନ୍ୟ ବିଲ୍ଡିଂଗୁଡ଼ିକୁ ମଧ୍ୟ ବ୍ୟାପିଯାଇଥିଲା। ନିଆଁ ଲାଗିଥିବା ନେଇ ଖବର ମିଳିବା ପରେ ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଜୋରଦାର ଚେଷ୍ଟା ଚଳାଇଥିଲେ। ତେବେ ଏବେ ମଧ୍ୟ ନିଆଁ ସମ୍ପୂର୍ଣ୍ଣ ଭାବେ ଲିଭି ନଥିବା କୁହାଯାଉଛି।
ପୁଲିସର କହିବାନୁସାରେ, ସ୍ଥାନୀୟ ସମୟ ଭୋର୍ ୩ଟା ୧୭ ମିନିଟ୍ରେ ଅଗ୍ନିକାଣ୍ଡ ନେଇ ପ୍ରଥମେ ଫୋନ୍ କଲ୍ ଆସିଥିଲା। ଯେଉଁ ବିଲ୍ଡିଂରେ ନିଆଁ ଲାଗିଛି ତାହା ଏକ ବଡ଼ ସପିଂ କମ୍ପ୍ଲେକ୍ସ। ଏଥିରେ ସପିଂ ମଲ୍ ରହିଥିବା ସହିତ ଏଠାରେ ଗାଡ଼ି ଭଡ଼ାରେ ମଧ୍ୟ ଦିଆଯାଏ। ପ୍ରାୟ ୨ ଘଣ୍ଟା ଧରି ନିଆଁ ଲିଭା କାର୍ଯ୍ୟ ଜାରି ରହିବା ପରେ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। ନିଆଁ ପ୍ରାୟତଃ ଲିଭି ଯାଇଥିବା ବେଳେ ଆଉ ଅଳ୍ପ କିଛି ସ୍ଥାନରୁ ଧୂଆଁ ବାହାରୁଛି, ଯାହା ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ଲିଭିଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଆହୁରି ମଧ୍ୟ ପୁଲିସ ସୂଚନା ଦେଇଛି ଯେ, ଆହତଙ୍କ ମଧ୍ୟରୁ ଅନେକ ସ୍ଥାନୀୟ ଲୋକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମ୍ୟାଁମାରର ନାଗରିକ ଅଟନ୍ତି। ସୌଭାଗ୍ୟବଶତଃ ମୃତକଙ୍କ ମଧ୍ୟରେ କୌଣସି ବିଦେଶୀ ପର୍ଯ୍ୟଟକ ନାହାନ୍ତି। ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ଆଗାମୀ ସମୟରେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡର ସଠିକ୍ କାରଣ ଜାଣିବା ପାଇଁ ସ୍ଥାନୀୟ ପୁଲିସ ଓ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
