ନୂଆଦିଲ୍ଲୀ, ୧୬।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାରଠାରୁ ୩ ଦିନିଆ ଫିଲିପାଇନ୍ସ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ସେ ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅରଙ୍କ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ରାତ୍ରୀଭୋଜନରେ ସାମିଲ ହେବେ।
ରାଜଧାନୀ ମାନିଲାଠାରେ ଆସନ୍ତା ୧୭ ତାରିଖରେ ଆୟୋଜିତ ହେବାକୁ ଥିବା ୨୩ତମ ଭାରତ-ଆସିଆନ୍ ଶିଖର ସମ୍ମିଳନୀ ଏବଂ ୨୧ତମ ପୂର୍ବ ଏସିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବେ। ଚଳିତ ବର୍ଷର ଭାରତ-ଆସିଆନ୍ ସମ୍ମିଳନୀର ବିଷୟବସ୍ତୁ (ଥିମ୍) ‘ନାଭିଗେଟିଂ ଫ୍ୟୁଚର’ (ଭବିଷ୍ୟତ ମାର୍ଗନିର୍ଦ୍ଦେଶନ କରିବା) ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମୁଦ୍ରିକ ସୁରକ୍ଷା, ଆର୍ଥିକ ଏବଂ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ବ୍ୟାପକ ଆଲୋଚନା ହେବ।
ଏଥିସହ ଭାରତ-ପ୍ରଶାନ୍ତ କ୍ଷେତ୍ରର ନୌପରିବହନ ଓ ସାମୁଦ୍ରିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ସଦସ୍ୟ ରାଷ୍ଟ୍ରର ନେତାମାନଙ୍କ ସହିତ ଆଲୋଚନା କରିବେ। ଏହି ଅବସରରେ ମୋଦୀ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ଶୀର୍ଷ ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। ଏହା ବ୍ୟତୀତ ମାନିଲାରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭେଟିବା ସହ ସେମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।
