ବଡ଼ବିଲ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସେହିଭଳି ସ୍କୁଟିରେ ବସିଥିବା ଅନ୍ୟ ଜଣେ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ଏନ୍ଏଚ୍-୫୨୦ ରାଜପଥର ରିମୁଳି ବାଇପାସ୍ ନିକଟ ଜାମୁନାଳିଆ ଛକଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ, ଜାମୁନାଳିଆ ଛକଠାରେ ଥିବା ଏକ ଢାବା ସମ୍ମୁଖରେ ରାସ୍ତା କଡ଼ରେ ଏକ ହାଇୱା ଟ୍ରକ୍ ଛିଡ଼ା ହୋଇ ରହିଥିଲା। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ସ୍କୁଟି ଭାରସାମ୍ୟ ହରାଇ ଉକ୍ତ ଟ୍ରକ୍କୁ ପଛପଟୁ ଜୋର୍ରେ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସ୍କୁଟିଟି ଟ୍ରକ୍ ପଛରେ ଲାଖି ରହିଯାଇଥିଲା ଏବଂ ଘଟଣାସ୍ଥଳରେ ସ୍କୁଟି ଉପରେ ହିଁ ଚାଳକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ସ୍କୁଟି ପଛରେ ବସିଥିବା ଅନ୍ୟ ଜଣେ ଯୁବକ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ମୃତକ ଜଣକ ବଡ଼ବିଲ ଅଞ୍ଚଳର ରବିନା ଚାତ୍ତାର ଏବଂ ଗୁରୁତର ଆହତ ଯୁବକ ଜଣକ ସନ୍ତୋଷ ନାଇଡୁ ବୋଲି ଜଣାପଡ଼ିଛି।
ତେବେ ଖବର ପାଇ ଚମ୍ପୁଆ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତର ସନ୍ତୋଷଙ୍କୁ ଚିକିତ୍ସା ପାଇଁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ସ୍କୁଟି ଏବଂ ହାଇୱା ଟ୍ରକ୍କୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
