ରାଉରକେଲା ହନୁମାନ ବାଟିକା ଛକରେ ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍; ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ

ରାଜ୍ୟ
Spread the love

ରାଉରକେଲା: ରାଉରକେଲା ସହରରେ ଏକ ଯାତ୍ରୀବାହୀ ବସ୍ ହୁତୁହୁତୁ ହୋଇ ଜଳିଯାଇଛି। ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରୁ ରାଉରକେଲା ଅଭିମୁଖେ ଆସୁଥିବା ‘ଖୁସବୁ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ସୌଭାଗ୍ୟବଶତଃ ଏହି ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବସ୍‌ରେ ଥିବା ସମସ୍ତ ଯାତ୍ରୀ। ରାଉରକେଲା ସହରର ବ୍ୟସ୍ତବହୁଳ ହନୁମାନ ବାଟିକା ଛକଠାରେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, କୁଚିଣ୍ଡାରୁ ରାଉରକେଲା ଅଭିମୁଖେ ଆସୁଥିବା ଏହି ବସ୍‌ଟି ସହର ମଧ୍ୟରେ ପ୍ରବେଶ କରି ହନୁମାନ ବାଟିକା ଛକରେ ପହଞ୍ଚିଥିଲା। ସେଠାରୁ ରାଉରକେଲା ବସ୍‌ଷ୍ଟାଣ୍ଡ ଆଉ ମାତ୍ର ୪ରୁ ୫ କିଲୋମିଟର ଦୂରରେ ରହିଥିଲା। ଟ୍ରାଫିକ୍‌ରେ କିଛି ସମୟ ଅଟକି ରହିବା ପରେ ଗ୍ରୀନ୍ ସିଗନାଲ୍ ମିଳିବାରୁ ବସ୍‌ଟି ଆଗକୁ ବଢ଼ିଥିଲା। ହେଲେ ହଠାତ୍ ବସ୍‌ଟି ରାସ୍ତା ମଝିରେ ବନ୍ଦ ହୋଇଯାଇଥିଲା ଏବଂ ଏହି ସମୟରେ ବସ୍‌ର ତଳ ପାର୍ଶ୍ୱରୁ ପ୍ରଚୁର ଧୂଆଁ ବାହାରିବା ଆରମ୍ଭ ହୋଇଥିଲା।

ପରିସ୍ଥିତିର ଗମ୍ଭୀରତାକୁ ଦେଖି ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ସମସ୍ତ ଯାତ୍ରୀ ବସ୍‌ରୁ ସୁରକ୍ଷିତ ଭାବେ ଓହ୍ଲାଇ ପଡ଼ିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌ଟିକୁ ଠେଲି ରାସ୍ତାକଡ଼କୁ ନିଆଯାଇଥିଲା। ତେବେ କିଛି ସମୟ ମଧ୍ୟରେ ନିଆଁ ବ୍ୟାପିଯାଇ ବସ୍‌ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ଦେଖୁ ଦେଖୁ ବସ୍‌ର ପ୍ରାୟ ୭୦ ପ୍ରତିଶତ ଅଂଶ ନିଆଁରେ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଅନ୍ୟପଟେ ବସ୍‌ରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ବସ୍ ମାଲିକ ଆଶଙ୍କା ପ୍ରକାଶ କରିଛନ୍ତି। ଏଥିସହ ଅଗ୍ନିଶମ ବିଭାଗ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏତେ ବଡ଼ କ୍ଷତି ହୋଇନଥାନ୍ତା ବୋଲି ସେ ଅଭିଯୋଗ କରିଛନ୍ତି।

ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ତେବେ ଏହି ଭୟାବହ ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କ ଜୀବନହାନି ହୋଇନଥିବା ବେଳେ ବସ୍‌ଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

Leave a Reply

Your email address will not be published. Required fields are marked *