ଝଙ୍କଡ଼: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ଅଧୀନ ପୁଟିଙ୍ଗ ଗ୍ରାମରେ ଏକ ଦୁଃଖଦ ଘଟଣା କ୍ରମରେ ୩ ବର୍ଷର ଶିଶୁପୁତ୍ର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛି। ଏହି ଅଭାବନୀୟ ଘଟଣା ପରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସୋମବାର ଦିବା ୧୦ ଘଟିକା ସମୟରେ ଗ୍ରାମର ହୃଷିକେଶ ମଲ୍ଲିକ (ପିତା- କୈଳାସ ମଲ୍ଲିକ)ଙ୍କ ଏକମାତ୍ର ପୁତ୍ର ଆଶୁତୋଷ ମଲ୍ଲିକ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ପୁଅକୁ ନପାଇ ସାରା ପରିବାର ଲୋକେ ଚାରିଆଡ଼େ ବହୁ ଖୋଜାଖୋଜି କରିଥିଲେ, ହେଲେ କୌଣସିଠାରେ ମଧ୍ୟ ପିଲାଟିର ପତ୍ତା ମିଳିନଥିଲା।
ପରେ ଦିନ ପ୍ରାୟ ୧୨ ଘଟିକା ସମୟରେ କୌଣସି କାରଣବଶତଃ କୈଳାସ ମଲ୍ଲିକ ତାଙ୍କ ଘର ନିକଟରେ ଥିବା ପୋଖରୀ କଡ଼କୁ ଯାଇଥିବା ବେଳେ ଛୁଆଟି ପୋଖରୀ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ଶିଶୁଟିକୁ ଉଦ୍ଧାର କରି ଏକ ଘରୋଇ ଗାଡ଼ି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ଶିଶୁଟିକୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିବା ସହ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇ ଦେଇଥିଲେ। ଏହି ହୃଦୟବିଦାରକ ଘଟଣାରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।
