ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’ର ମୁକାବିଲା ପାଇଁ ଆନ୍ଧ୍ର ସରକାରଙ୍କ ବଡ଼ ପ୍ରସ୍ତୁତି; ପ୍ରଶାସନକୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଦେଶବିଦେଶ
Spread the love

ଅମରାବତୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଆହୁରି ଶକ୍ତିଶାଳୀ ହେଉଛି। ଗଭୀର ଅବପାତରୁ ଆଜି ଅର୍ଥାତ୍ ସୋମବାର ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବାକୁ ଯାଉଛି। ଏହି ସାମୁଦ୍ରିକ ଝଡ଼ର ନାମ ‘ଅକଭାନ୍’ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ନଭେମ୍ବର ୧୭ ତାରିଖରେ ଏହା ଭୀଷଣ ବାତ୍ୟା ଏବଂ ୧୯ ତାରିଖ ବେଳକୁ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବରେ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୧୪୫ କିଲୋମିଟର ଛୁଇଁପାରେ।

ଏହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ କ୍ଷୟକ୍ଷତି ଆଶଙ୍କାକୁ ନେଇ ଚିନ୍ତାରେ ରହିଛନ୍ତି ଆନ୍ଧ୍ରପ୍ରଦେଶ ସରକାର। ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ଏବଂ ଜନଜୀବନକୁ ସୁରକ୍ଷିତ ରଖିବା ପାଇଁ ଆଗୁଆ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ। ବାତ୍ୟାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ପବନ ଏବଂ ବନ୍ୟା ଆଶଙ୍କା ଥିବାରୁ ସମଗ୍ର ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ସେ କହିଛନ୍ତି।

ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନାଇଡୁ ଅଧିକାରୀମାନଙ୍କୁ କହିଛନ୍ତି ଯେ, ବାତ୍ୟାର ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖିବା ସହ ଲୋକଙ୍କୁ ନିୟମିତ ସତର୍କ ସୂଚନା ଦିଆଯାଉ। ଉପକୂଳ ଅଞ୍ଚଳର ତଳିଆ ତଥା ବିପଦପୂର୍ଣ୍ଣ ସ୍ଥାନରେ ରହୁଥିବା ଲୋକଙ୍କୁ ଆବଶ୍ୟକ ପଡ଼ିଲେ ତୁରନ୍ତ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉ।

ବାତ୍ୟା ସମୟରେ ବିଦ୍ୟୁତ୍ ଏବଂ ମୋବାଇଲ୍ ସେବା ବ୍ୟାହତ ହେବାର ଆଶଙ୍କା ଥିବାରୁ ବିଦ୍ୟୁତ୍ ବିଭାଗକୁ ଆଗୁଆ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଯେଉଁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ହେବ, ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଯଥାଶୀଘ୍ର ସେବା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ ରହିଛି। ସେହିପରି ଗଭୀର ସମୁଦ୍ରକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ତୁରନ୍ତ କୂଳକୁ ଫେରାଇ ଆଣିବା ଏବଂ ସମୁଦ୍ରର ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ କୌଣସି ମାଛଧରା ଡଙ୍ଗାକୁ ସମୁଦ୍ର ମଧ୍ୟକୁ ନଛାଡ଼ିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଗର୍ଭବତୀ ମହିଳା, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କ ସୁରକ୍ଷା ତଥା ସ୍ୱାସ୍ଥ୍ୟସେବାକୁ ମଧ୍ୟ ସର୍ବାଧିକ ପ୍ରାଥମିକତା ଦେବାକୁ ନାଇଡୁ ନିର୍ଦ୍ଦେଶ ଦେଇଛନ୍ତି।

ରିଲିଫ୍ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ସହ ଉଦ୍ଧାର ଓ ରିଲିଫ୍ ଟିମ୍‌କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ବାତ୍ୟା ସମ୍ପର୍କିତ ସଠିକ୍ ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରତି ଚାରି ଘଣ୍ଟାରେ ଥରେ ସରକାରୀ ବୁଲେଟିନ୍ ଜାରି କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *