ଜଗତସିଂହପୁର/ଝଙ୍କଡ଼ : ନୂଆପଡ଼ା ଠାରୁ, ତାଳଦଣ୍ଡା କେନାଲ ରୁ ବାହାରିଥିବା ୧୨ ନମ୍ବର ସାରଳା କେନାଲ, କନକପୁର ସାରଳାହାଟ ନିକଟରେ ଥିବା, ବହୁପୁରାତନ ପୋଲଟି ଦୀର୍ଘ ବର୍ଷ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ବେଳେ ଏ ସମ୍ପର୍କିତ ଖବର ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ଅଣଦେଖା ଓ ଅବହେଳାରୁ ଆଜି ପର୍ଯ୍ୟନ୍ତ ମରାମତି ହୋଇ ନଥିବାରୁ ଗତ ରବିବାର ଦିନ ଏହି କେନାଲପୋଲ ଅତିକ୍ରମ କରିବା ସମୟରେ ଏକ ପ୍ରାଇଭେଟ୍ କାର , ପୋଲର ଖାଲ ଭିତରେ ଗୋଟିଏ ଚକ ଗଳିପଡ଼ିଥିଲା । ଘଟଣା ସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହାୟତାରେ, କାରକୁ ଖାଲ ଭିତରୁ ଉଦ୍ଧାର କରାଯାଇଥିଲା ।
ପରବର୍ତ୍ତୀ ସମୟରେ ସେହି ଖାଲରେ ଏକ ଗଛ ଓ ପତାକା ଲଗାଇବା ପରେ, ପାର୍ଶ୍ଵ ରାସ୍ତା ଦେଇ ଯାନବାହାନ ଗୁଡିକ ଯାତାୟାତ କରୁଅଛି । ପ୍ରତିଦିନ ଏହି ବିପଦଶଙ୍କୁଳ ପୋଲ ବାଟ ଦେଇ, ପ୍ରସିଦ୍ଧ ସାରଳା ପୀଠ ଓ ବିଭୁତିକ୍ଷେତ୍ର ଗୋରେଖନାଥଙ୍କ ମଠକୁ ଶହଶହ ଗାଡି ମଟର ଓ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ, ଯାତ୍ରୀ ଓ ପର୍ଯ୍ୟଟକ ମାନେ ଯାତାୟାତ କରୁଥିବାରୁ, କେତେବେଳେ କ’ଣ ଘଟିବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ଏହି ଜରାଜୀର୍ଣ୍ଣ ବହୁ ପୁରାତନ କେନାଲ ପୋଲ ର ନବନିର୍ମାଣ କରାଇବା ପାଇଁ, ଆର୍ ଆଣ୍ଡ ବି ର ବିଭାଗୀୟ ଯନ୍ତ୍ରୀମାନେ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ କନକ ପୁର ସରପଞ୍ଚ ରେବତୀ ମହାନ୍ତି , ସମାଜସେବୀ ଅଶୋକ କୁମାର ମହାନ୍ତି , ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ , ଅଜୟ କୁମାର ରାଉଳ, ଉଦୟ ପଣ୍ଡା , ପୂର୍ଣ୍ଣଚନ୍ଦ୍ର ସାହୁ, ମହାଦେବ ସାହୁ, ପୁର୍ବତନ ଆର୍ ଆଇ ଅଲେଖ ଚନ୍ଦ୍ର ସାହୁ, ନୀଳମାଧବ ସାହୁ , ଜୀବନବୀମା ଅଧିକାରୀ ନାରାୟଣ ବେହେରା, ପରେଶ ଭଟ୍ଟ , ପ୍ରତାପ ଚନ୍ଦ୍ର ପରିଜା, ନୃସିଂହ ଚରଣ ସାହୁ , ଆଇନଜୀବି ମହେଶ ମହାନ୍ତି ଓ ସାରଳା ମନ୍ଦିରର ସମସ୍ତ ପଣ୍ଡା ସେବକ ମାନଙ୍କ ସମେତ ବହୁ ସଙ୍ଗଠନର କର୍ମକର୍ତ୍ତାମାନେ ଦୃଢ଼ ଦାବୀ କରିଅଛନ୍ତି।