ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣର ପ୍ରତିଶୋଧ ଏବଂ ନ୍ୟାୟ ଦେବାକୁ ଭାରତ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧ଟା ୦୫ରୁ ଅପରେସନ ଆରମ୍ଭ ହୋଇଥିବା ବେଳେ ରାତି ୧ଟା ୩୦ ବେଳକୁ ଅର୍ଥାର ମାତ୍ର ୨୫ ମିନିଟରେ ସରିଯାଇଥିଲା ଅପରେସନ ସିନ୍ଦୂର । ଅପରେସନରେ ଛାରଖାର ହୋଇଗଲା ଆତଙ୍କୀଙ୍କ ଆଡ୍ଡା । ଆତଙ୍କୀଙ୍କ ୯ଟି ଠିକଣାରେ ଏୟାର ଷ୍ଟ୍ରାଇକ୍ କରି ଶିବିରଙ୍କୁ ଧ୍ବଂସ କରିଦିଆଗଲା ବୋଲି କହିଛନ୍ତି କର୍ଣ୍ଣେଲ୍ ସୋଫିଆ କୁରେଶୀ ।
ତେବେ ପାକିସ୍ତାନ ୩୦ ବର୍ଷ ଭିତରେ ଆତଙ୍କୀ ଫ୍ୟାକ୍ଟ୍ରି ତିଆରି କରିଛି ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କର୍ଣ୍ଣେଲ୍ କୁରେଶୀ । ସେପଟେ ୱିଙ୍ଗ କମାଣ୍ଡର ଭୌମିକା ସିଂହଙ୍କ କହିବା କଥା କି, ମୁଜାଫରାବାଦରେ ଲସ୍କର ତାଲିମ ଶିବିର ଉପରେ ଆକ୍ରମଣ କରି ଉଡାଇ ଦିଆଯାଇଛି । ଆତଙ୍କବାଦୀମାନେ ଏଠାରେ ଟ୍ରେନିଙ୍ଗ୍ ନେଉଥିଲେ । ଏଠାକୁ ଟପ୍ ଆତଙ୍କୀ ନେତାମାନେ ଆସୁଥିଲେ ।
ସେପଟେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରତିକ୍ରିୟା ରଖି ପହଲଗାମ୍ ଆକ୍ରମଣକୁ ନିନ୍ଦା କରିବା ସହ ଆତଙ୍କୀ ହମଲା ଅତି ଗମ୍ଭୀର ଘଟଣା ବୋଲି କହିଛନ୍ତି । ତେବେ ପରିବାର ସାମ୍ନାରେ ସେମାନଙ୍କ ଆତ୍ମୀୟଙ୍କୁ ହତ୍ୟା କରିବା ଏବଂ ସେମାନଙ୍କୁ ଟାର୍ଗେଟ୍ କରି ମୁଣ୍ଡକୁ ଗୁଳି କରି ହତ୍ୟା କରିବା ଅତି ବର୍ବରକାଣ୍ଡ । ଭୀରୁ ଭଳି ହତ୍ୟା କରି ଏହାର ବାର୍ତ୍ତା ଦେବାକୁ କହିଥିଲେ ଆତଙ୍କବାଦୀ ।
ଜାମ୍ମୁକାଶ୍ମୀରର ବିକାଶ ରୋକିବାକୁ ଏବଂ ଜାମ୍ମୁକାଶ୍ମୀରର ଶାନ୍ତି ଭଙ୍ଗ କରିବାକୁ ଆକ୍ରମଣ ହୋଇଥିଲା ବୋଲି ବିକ୍ରମ କହିଥିବା ବେଳେ ପହଲଗାମ୍ ହମଲାରେ ପାକିସ୍ତାନର ହାତ ରହିଛି ବୋଲି କହିଛନ୍ତି । ଏଥିସହ ଟିଆରଏଫ, ଲସ୍କର-ଏ-ତୋଏବାର ବି ସମ୍ପୃକ୍ତି ରହିଛି । ପାକିସ୍ତାନ ଆତଙ୍କୀଙ୍କ ପେଣ୍ଠସ୍ଥଳ ଭାବେ ପରିଚିତ । ଏଠାରେ ଆତଙ୍କବାଦୀମାନେ ଆଶ୍ରୟ ନିଅନ୍ତି, ପାକିସ୍ତାନ ପାଖରେ ଶରଣ ପଶନ୍ତି । ଆତଙ୍କୀ ଏବଂ ଆତଙ୍କବାଦୀଙ୍କୁ ପୋଷୁଥିବା ଦେଶକୁ ଜବାବ ଦିଆଯାଇଛି । ଆତଙ୍କବାଦୀଙ୍କ ଦମନ ଭାରତର ଅଧିକାର ବୋଲି ବିକ୍ରମ ମିଶ୍ରି କହିଛନ୍ତି ।
