ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ୩୦ଟି ପଞ୍ଚାୟତରେ ହାଇସ୍କୁଲ ନାହିଁ। ଫଳରେ ଏହି ସବୁ ପଞ୍ଚାୟତର ଛାତ୍ରଛାତ୍ରୀ ଅନ୍ୟ ପଞ୍ଚାୟତକୁ ପାଠ ପଢ଼ିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ବହୁ ଗରିବ ମେଧାବୀ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେଉଥିବା ଲକ୍ଷ୍ୟ କରାଯାଇଛି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍ର ଲକ୍ଷ୍ମୀପୁର, ଶିରୀପୁର, ସିକୁଆ, ମଦନପୁର ରାମପୁର ବ୍ଲକ୍ର ଦେଢ଼ଶୁଲି, ଡୁଡ଼କାରଞ୍ଜା, ସିଂପୁର, ଲାଞ୍ଜିଗଡ଼ ବ୍ଲକ୍ର କୁମଖାଲ, ବେଡ଼ାଗାଁ, ବସନ୍ତପଡ଼ା, ଜଗନ୍ନାଥପୁର, କଦମଗୁଡ଼ା, ଥୁଆମୂଳ ରାମପୁର ବ୍ଲକ୍ର ସିଲେଟ, ଗୋପୀନାଥପୁର, ଥୁଆମୂଳ, ବାଗଡ଼ିଆନି, ବିରିକୋଟ, ତଲଝାପି, ପୋଡ଼ାପଦର, ତଲଆମପଦର, ଜୁନାଗଡ଼ ବ୍ଲକ୍ର କାଲିଆ କୁଣ୍ଡଲ, ବୁଢ଼ୀଦର, ଚିଙ୍ଗୁଡ଼ିସର, ଧର୍ମଗଡ଼ ବ୍ଲକ୍ର ବଗାଡ଼, ଜୟପାଟଣା ବ୍ଲକ୍ର ବଟଟେମରି, ଭେଜିଗୁଡ଼ା, ସିନ୍ଧିକାଗୁଡ଼ା, କଲମପୁର ବ୍ଲକ୍ର ନୂଆଗାଁ, ଗୋଲାମୁଣ୍ଡା ବ୍ଲକ୍ର ବୋର୍ଡି, ଗଣ୍ଡାମେର, କୋକସରା ବ୍ଲକର କନ୍ଦାବୁଟ୍ରା ଆଦି ୩୦ଟି ପଞ୍ଚାୟତରେ ସରକାରୀ ହାଇସ୍କୁଲ ନାହିଁ।
ଏନେଇ ବିଧାନସଭାରେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କ ପ୍ରଶ୍ନର ଉତ୍ତର ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଥିଲେ। ରାଜ୍ୟରେ ୪୨୭ଟି ପଞ୍ଚାୟତରେ ହାଇସ୍କୁଲ ନାହିଁ ବୋଲି ଲିଖିତ ଭାବେ ଜଣାଇଛନ୍ତି। ହାଇସ୍କୁଲ ନଥିବା ପଞ୍ଚାୟତମାନଙ୍କରେ ୟୁପି ସ୍କୁଲଗୁଡ଼ିକୁ ଉନ୍ନୀତ କରି ନବମ ଓ ଦଶମ ଶ୍ରେଣୀ ଖୋଲିବା ନିମନ୍ତେ ପ୍ରସ୍ତାବ ସରକାରଙ୍କ ହସ୍ତଗତ ହେଲେ ସରକାର ଆଇନ ଅନୁଯାୟୀ ବିଚାର କରିପାରନ୍ତି ବୋଲି ସୂଚନା ଦେଇଥିଲେ। ଜିଲ୍ଲାର ୩୦ଟି ପଞ୍ଚାୟତରେ ହାଇସ୍କୁଲ ନଥିବା ଯୋଗୁଁ ପଡ଼ୋଶୀ ପଞ୍ଚାୟତ କିମ୍ବା ବ୍ଲକ୍ ସଦର ମହକୁମା ଉପରେ ଛାତ୍ରଛାତ୍ରୀମାନେ ନିର୍ଭର କରିଥାନ୍ତି। ଧନୀ ଶ୍ରେଣୀର ଛାତ୍ରଛାତ୍ରୀମାନେ ବାହାରକୁ ଯାଇ ଘରୋଇ ସ୍କୁଲରେ ପାଠ ପଢୁଥିବା ବେଳେ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ବିଶେଷତଃ ଛାତ୍ରୀମାନେ ଅନ୍ୟତ୍ର ଯାଇ ଖର୍ଚ୍ଚାନ୍ତ ହୋଇ ପାଠ ପଢ଼ି ପାରୁ ନଥିବା ଯୋଗୁଁ ସେମାନଙ୍କ ପଢ଼ାରେ ଡୋରି ବନ୍ଧା ହେଉଛି। ଏନେଇ ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ଦାବି ହେଉଛି।
