ଝଙ୍କଡ଼ : ଗତ ବୁଧବାର ଦିନ ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ତଥା ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀ ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ଓଡ଼ିଶା ର ପ୍ରତ୍ୟେକ ଜଗନ୍ନାଥ ଙ୍କ ମନ୍ଦିର ମଧ୍ୟରେ ବିଶେଷ ପୂଜାର୍ଚନା ଆୟୋଜିତ ହୋଇଥିବା ବେଳେ, ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ପ୍ରଗଣା ଅନ୍ତର୍ଭୁକ୍ତ କନିମୂଳ ଗ୍ରାମରେ ଅବିର୍ଭୁତ ଦାରୁବ୍ରହ୍ମ ପୀଠରେ ବୈଦିକ ଯଜ୍ଞ ସହିତ ସାଧୁ ସନ୍ଥ ମାନଙ୍କର ଉପସ୍ଥିତ ଦେଖିବାକୁ ମିଳିଥିଲା । ପ୍ରସିଦ୍ଧ ପଞ୍ଚସଖା ଧ୍ୟାନକୁଦ ପୀଠ ର ପିଠାଧୀଶ ପ୍ରେମସାଗର ବାବା ଅରକ୍ଷିତ ଦାସ ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଉକ୍ତ ଯଜ୍ଞ ରେ ବାବାଙ୍କ ସହିତ ଖୋର୍ଦ୍ଦା ବେଗୁନିଆ ର ସାଧୁ ପ୍ରତାପ ଜୀ, ପୁରୀ କୋଣାର୍କ ର ସାଧୁ ଙ୍କ ସମେତ ଅନେକ ସାଧୂସନ୍ଥ ଙ୍କ ସାନିଧ୍ୟ ଲାଭ କରିବାର ସୌଭାଗ୍ୟ ଅଞ୍ଚଳ ବାସୀଙ୍କୁ ମିଳିଥିଲା । ବିଶେଷ ଅତିଥିଭାବେ ଝଙ୍କଡ଼ ଶାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଯୋଗ ଦେଇଥିଲେ । ଯଜ୍ଞକୁଣ୍ଡରେ ବାବା ଅରକ୍ଷିତ ମହାରାଜଜୀ ପୂର୍ଣ୍ଣାହୁତୀ ପ୍ରଦାନ କରିବା ସହିତ ଉପସ୍ଥିତ ସାଧୂସନ୍ଥ ମାନଙ୍କୁ ଯଜ୍ଞାହୁତୀ ପ୍ରଦାନ କରିବାର ଭବ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯଜ୍ଞର ପୁରୋଧା ବେଦଜ୍ଞ ପଣ୍ଡିତ ସୁବାସ ଚନ୍ଦ୍ର ଦାଶ,ଯଜ୍ଞକର୍ତ୍ତା ଓ କର୍ତ୍ତ୍ରୀ ଥିଲେ ବିଷ୍ଣୁ ଚରଣ ରାଉତ ଓ ଭାଗ୍ୟବତୀ ରାଉତ ।

ମୁଖ୍ୟ ପୂଜକ କାର୍ଯ୍ୟ ଟୁକୁନା ନନା ତୁଲାଉ ଥିବା ବେଳେ ଦାରୁବ୍ରହ୍ମ ର ପିଠାଧୀଶ ବିପିନି ବାବା ଦାୟିତ୍ୱର ସହ ଯଜ୍ଞ ର ଆୟୋଜନ କରିଥିଲେ । ଏହି ସମସ୍ତ କାର୍ଯ୍ୟରେ ରମାକାନ୍ତ ରାଉତ, ପ୍ରମୋଦ ରାଉତ ଓ ସହଧର୍ମିଣୀ, ନୃସିଂହ ରାଉତ, ସାରଦା ପ୍ରସନ୍ନ ରାଉତ,ନିତ୍ୟାନନ୍ଦ ସାମଲ, ପ୍ରଭାତ ବେହେରା, ସୁବ୍ରଜିତ ରାଉତରାୟ ପ୍ରମୁଖ ଗ୍ରାମବାସୀ ମାନେ ସକ୍ରିୟ ସହଯୋଗ କରିଥିଲେ । ପଞ୍ଚାୟତ ସମିତିସଭ୍ୟ ବସନ୍ତ କୁମାର ମହାପାତ୍ର,ସମେତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁସାରେ ଯଜ୍ଞ ସମୟରେ ଦାରୁବ୍ରହ୍ମ ମୂଳରୁ ଅନନ୍ତ ନାଗ ଦର୍ଶନ ଦେଇ କ୍ଷୀରପାନ କରିଥିବାର ଦୃଶ୍ୟ କିଛି ଭକ୍ତ ଉପଭୋଗ କରିଥିଲେ । ସନ୍ଧ୍ୟା ସମୟରେ ଧ୍ୟାନକୁଦ ବାବା ପ୍ରେମସାଗର ଅରକ୍ଷିତ ଦାସମହାରାଜ ପ୍ରବଚନ ଦେଇ ଅଞ୍ଚଳବାସୀ ଙ୍କୁ ଆଧ୍ୟାତ୍ମିକ ଓ ତତ୍ତ୍ୱଭିତ୍ତିକ ବିଶ୍ୱାସ ମୂଳକ ତଥ୍ୟ ପ୍ରଦାନ କରି ଦାରୁବ୍ରହ୍ମ ଙ୍କ ଗୁପ୍ତଲୀଳା କୁ ଜ୍ଞାତ କରାଇଥିଲେ । ବିଶ୍ୱାସ ଥିଲେ ମିଳେ ହରି ନ୍ୟାୟରେ ସର୍ବଜନ ଉକ୍ତ ଦାରୁବ୍ରହ୍ମ ପୀଠକୁ ଗୁରୁତ୍ୱ ଦେବା ଓ ଆଶୀର୍ବାଦ ପାଇବା ନିହାତି ଆବଶ୍ୟକ । ପରିଶେଷରେ ରମାକାନ୍ତ ରାଉତ ଧନ୍ୟବାଦ ପ୍ରଦାନ କରି ଆଧ୍ୟାତ୍ମିକ ସଭାର ଅନ୍ତିମ ଘୋଷଣା କରିଵା ପରେ ଭକ୍ତି ସଂଗୀତ କାର୍ଯ୍ୟକ୍ରମ ଜାରି ରହିଥିଲା ।
