ଜଗତସିଂହପୁର/ଝଙ୍କଡ଼ : ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ପବିତ୍ର ରଜ ସଂକ୍ରାନ୍ତି ଦିନ ଲୋକାରଣ୍ୟ ହୋଇ ଉଠିଥିଲା। ଦିନ ୧୨ ଟା ବେଳେ ଟିକେ କୋହଲା ପାଗ ହେବାରୁ ଚତୁଃ ପାର୍ଶ୍ୱରୁ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସୁଅ ଛୁଟିଥିଲା। ମାତ୍ର ଗତକାଲି ଠାରୁ ନିକଟରେ ଥିବା ଏକ ଟ୍ରାନସମିଟର ପୋଡିଯାଇଥିବା ବେଳେ, ବିଦ୍ୟୁତବିଭାଗୀୟ ଯନ୍ତ୍ରୀଙ୍କ ତପ୍ତରତା ଅଭାବରୁ ସାରଳା ମନ୍ଦିରକୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇ ଯାଇଥିଲା। ଯାହାଫଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରେ ଅଚଳାବସ୍ଥା ସୃଷ୍ଟି କରିଥିଲା । ଯେଉଁଥିପାଇଁ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଓ ଯାତ୍ରୀ ମାନେ ପିଇବା ପାଣି ଟୋପାଏ ପାଇଁ ଡହଳ ବିକଳ ହୋଇ ଯାଇଥିଲେ। ତିର୍ତ୍ତୋଲ ଥାନା ଏସ ଡି ପି ଓ ଚିନ୍ମୟ ରାଉତ, ଥାନା ଆଇ ଆଇ ସି ଓ କନକପୁର ପୋଲିସ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ଭୋଳ ଙ୍କ ସମେତ ୨ ପ୍ଲାଟୁନ ପୋଲିସ, ଯାନବାହାନ ଚଳାଚଳ ପାଇଁ ଟ୍ରାଫିକ ବ୍ୟବସ୍ଥା ଓ ଶୃଙ୍ଖଳିତ ଦର୍ଶନ ର ବ୍ୟବସ୍ଥା କରାଯାଇ ଥିଲା ।
ଜଗତସିଂହପୁର ଜିଲ୍ଲାର ସହକାରୀ ଜିଲ୍ଲାପାଳ ତଥା ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ଜେନା, ତିର୍ତ୍ତୋଲ ତହସିଲଦାର ଓ ମନ୍ଦିର ପ୍ରଶାସନିକ ଅଧିକାରୀ ବରଦା ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସମସ୍ତ ବିଧିବ୍ୟବସ୍ଥା ର ସୁପରିଚାଳନା କରିଥିଲେ। ମଣିଜଙ୍ଗା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଓ କନକପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ଆଶୁ ଚିକିତ୍ସା ଶିବିର ମନ୍ଦିର ବେଢ଼ା ରେ ଖୋଲା ଯାଇଥିବା ବେଳେ, ତିର୍ତ୍ତୋଲ ଆର୍ ଡବ୍ଲୁ ଏସ ଏସ ତରଫରୁ ମଧ୍ୟ ବଜାର ପଡ଼ିଆରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଥିଲା। ବିଧିର ବିଡମ୍ବନା ଯୋଗୁଁ ଦିନ ୨ ଟା ବେଳକୁ ଘଡଘଡି ଓ ବଜ୍ରପାତ ସାଙ୍ଗକୁ ଝଡ୍ ପବନ ବର୍ଷା ମାଡ଼ି ଆସିବାରୁ କିଛି ସମୟ ପାଇଁ ଉପସ୍ଥିତ ଥିବା ଲୋକମାନେ ଭୟଭୀତ ଓ ଇତସ୍ତତ ହୋଇ ଯାଇଥିବାର ଦେଖିବାକୁ ମିଳିଥିଲା । ତେବେ ମାଆଙ୍କର ପୂଜାର୍ଚ୍ଚନା ନୀତି କାନ୍ତି ଯଥା ବିଧି ବିଧାନ ରେ ସମ୍ପନ୍ନ ହୋଇଥିଲେ ମଧ୍ୟ ଯାତ୍ରୀ ମାନଙ୍କ ସମାଗମ କୁ ଦୃଷ୍ଟିରେ ରଖି ଦୀର୍ଘ ୨ ଘଣ୍ଟା ବିଳମ୍ବରେ ମାଆଙ୍କ ପହୁଡ଼ ପଡିଥିଲା। ଅପରାହ୍ନରେ ପହୁଡ଼ ଖୋଲା ଯାଇ ମାର୍ଜନା ପରେ ସନ୍ଧ୍ୟା ଆରତୀ ବେଶ ରେ ମାଆଙ୍କୁ ସଜ୍ଜିତ କରାଯିବା ପରେ ପୁରୀ ମରିଚଲଡ଼ୁ ଭୋଗ ଲାଗି ଓ ନାଟ୍ୟମଣ୍ଡପରେ ପୁରାଣପଣ୍ଡା ଙ୍କ ଦ୍ଵାରା ଶୂଦ୍ରମୁନି ସାରଳା ଦାସ ଙ୍କ କୃତ ସାରଳା ମହାଭାରତ ପାଠ କରାଯାଇଥିଲା । ସନ୍ଧ୍ୟା ଆରତୀ ସମୟରେ ବହୁଶ୍ରାଦ୍ଧକୁଭକ୍ତ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରଥମ ପ୍ରହର ଧୂପ ପରେ ବଡସିଂହାର, ଦ୍ୱିତୀୟ ପ୍ରହର ଧୂପ ପରେ ପହୁଡ଼ ପଡିଥିଲା।
