73e569ec 82c7 464d A779 253f4bdc60c1

ରଥଯାତ୍ରା ଡ୍ୟୁଟିରେ ପୁଲିସକୁ ଦୁର୍ବ୍ୟବହାର : “ମତେ ଚିହ୍ନିଛୁ?” କହି ଧମକ ଦେଲେ ସେବକ, ଭିଡିଓ ଭାଇରାଲ ପରେ ତୀବ୍ର ସମାଲୋଚନା

ରାଜ୍ୟ
Spread the love

କଟକ (ପ୍ରଦୀପ ଦାସ)  : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପାଇଁ ଓଡ଼ିଶା ପୁଲିସ ଦିନରାତି ଏକ କରି ଦାୟିତ୍ୱ ତୁଲାଉଥିବା ବେଳେ, ପୁରୀରେ ଜଣେ ସେବକଙ୍କ ଦ୍ୱାରା କାର୍ଯ୍ୟରତ ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରୀଜଗନ୍ନାଥ ମନ୍ଦିରର ସେବକ ଜଗୁନି ମହାପାତ୍ର ଜଣେ ପୁଲିସ ଅଧିକାରୀଙ୍କୁ “ମତେ କିଏ ଚିହ୍ନିଚୁ” କହି ଧମକ ଦେଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓ ଅନୁଯାୟୀ, ରଥ ସମ୍ମୁଖରେ କରାଯାଇଥିବା ସୁରକ୍ଷା କର୍ଡନ ଭିତରକୁ କିଛି ବ୍ୟକ୍ତି ପ୍ରବେଶ କରି ନୃତ୍ୟ କରିବାକୁ ଉଦ୍ୟମ କରୁଥିଲେ। ସେଠାରେ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀମାନେ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଏଥିରୁ ବାରଣ କରିଥିଲେ। ଏହି ସାଧାରଣ ଘଟଣାରେ ହଠାତ୍ ସେଠାରେ ଉପସ୍ଥିତ ଥିବା ସେବକ ଜଗୁନି ମହାପାତ୍ର ଉତ୍କ୍ଷିପ୍ତ ହୋଇପଡ଼ିଥିଲେ। ସେ କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ନିଜ ପରିଚୟର ଅହଂକାର ଦେଖାଇ ତାଙ୍କୁ ଧମକପୂର୍ଣ୍ଣ ଭାବରେ ପ୍ରଶ୍ନ କରିଥିଲେ, “ମତେ କିଏ ଚିହ୍ନିଚୁ?”
ରଥଯାତ୍ରା ଭଳି ମହା ଆୟୋଜନରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଏଭଳି ସମୟରେ ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ନୀତିକାନ୍ତିକୁ ସୁରୁଖୁରୁରେ ସମ୍ପନ୍ନ କରାଇବା ପୁଲିସ ପାଇଁ ଏକ କାଠିକର ପାଠ ହୋଇଥାଏ। ଦିନରାତି ଖରା, ବର୍ଷାକୁ ଖାତିର ନକରି ପୁଲିସ ନିଜ ଦାୟିତ୍ୱ ତୁଲାଇଥାଏ। ଏଭଳି ପରିସ୍ଥିତିରେ ପୁଲିସକୁ ସହଯୋଗ ଓ ସମର୍ଥନ କରିବା ପରିବର୍ତ୍ତେ ଜଣେ ସେବକଙ୍କ ଏପରି ଆଚରଣକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି।
ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ମତରେ, ପୁଲିସ କେବଳ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିଲା। ସେମାନଙ୍କୁ ପ୍ରଶଂସା କରିବା ପରିବର୍ତ୍ତେ ଏଭଳି ଧମକ ଦେବା କେବଳ ପୁଲିସର ମନୋବଳକୁ ଦୁର୍ବଳ କରେ ନାହିଁ, ବରଂ ଏହା ମହାପ୍ରଭୁଙ୍କ ସେବକମାନଙ୍କ ପ୍ରତି ଥିବା ସମ୍ମାନ ଓ ଶ୍ରୀକ୍ଷେତ୍ରର ଗାରିମା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଶୃଙ୍ଖଳା ହିଁ ଯେକୌଣସି ବଡ଼ ଆୟୋଜନର ସଫଳତାର ଚାବିକାଠି। ରଥଯାତ୍ରାର ପବିତ୍ରତା ଓ ମର୍ଯ୍ୟାଦା ରକ୍ଷା କରିବା ଉଭୟ ସେବକ ଓ ପ୍ରଶାସନର ମିଳିତ ଦାୟିତ୍ୱ। ଏହି ଘଟଣା ଦର୍ଶାଉଛି ଯେ ଭବିଷ୍ୟତରେ ଏପରି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସେବକ ସମାଜ ଓ ପୁଲିସ ପ୍ରଶାସନ ମଧ୍ୟରେ ଅଧିକ ସମନ୍ୱୟ ଓ ପାରସ୍ପରିକ ସମ୍ମାନ  ରହିବା ଆବଶ୍ୟକ |

Leave a Reply

Your email address will not be published. Required fields are marked *