ଏସସିବିରେ ଏମଆରଆଇ ମେସିନ ଅଚଳ : ଅଧୀକ୍ଷକଙ୍କୁ ଖୁଚୁରା ଟଙ୍କା ଦେଇ କଂଗ୍ରେସର ପ୍ରତିବାଦ
କଟକ : କଟକ ବଡ଼ ମେଡିକାଲ (ଏସସିବି)ରେ ଏମଆରଆଇ ମେସିନ ଅଚଳ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀଙ୍କୁ ଚିକିତ୍ସା ନମିଳିବା ଘଟଣାକୁ ନେଇ କଂଗ୍ରେସ ତୀବ୍ର ପ୍ରତିବାଦ କରିଛି। ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏସସିବି ମେଡିକାଲ ଅଧୀକ୍ଷକଙ୍କୁ ଭେଟି ଖୁଚୁରା ଟଙ୍କା ପ୍ରଦାନ କରିବା ସହ ମେସିନର ତୁରନ୍ତ ମରାମତି ପାଇଁ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଆଜି କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ନେତୃତ୍ୱରେ କର୍ମୀମାନେ ଏସସିବି ମେଡିକାଲ ପରିସରରେ ପହଞ୍ଚିଥିଲେ। ସେମାନେ ମେଡିକାଲ ଅଧୀକ୍ଷକ ଡା. ଗୌତମ ଶତପଥୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଥିଲେ। ପ୍ରତିବାଦ ସ୍ୱରୂପ, ସେମାନେ ଅଧୀକ୍ଷକଙ୍କୁ କିଛି ଖୁଚୁରା ଟଙ୍କା ଦେଇ କହିଥିଲେ ଯେ ଯଦି ସରକାରଙ୍କ ପାଖରେ ମେସିନ ସଜାଡ଼ିବାକୁ ଅର୍ଥ ନାହିଁ, ତେବେ ଏହି ଅର୍ଥରେ କାମ ଆରମ୍ଭ କରାଯାଉ।
ଉଲ୍ଲେଖଯୋଗ୍ୟ ଯେ, ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀ ଡା. ପ୍ରିୟଙ୍କା ମାରାଣ୍ଡି ଚିକିତ୍ସା ପାଇଁ ଏସସିବି ମେଡିକାଲକୁ ଆସିଥିଲେ। ଡାକ୍ତର ତାଙ୍କୁ ଏକ ଏମଆରଆଇ ସ୍କାନ ପାଇଁ ପରାମର୍ଶ ଦେଇଥିଲେ, କିନ୍ତୁ ମେଡିକାଲର ଏକମାତ୍ର ଏମଆରଆଇ ମେସିନ ଅଚଳ ଥିବାରୁ ତାଙ୍କର ସ୍କାନ ହୋଇପାରିନଥିଲା। ରାଜ୍ୟର ସର୍ବବୃହତ ସରକାରୀ ମେଡିକାଲରେ ଏଭଳି ଅବ୍ୟବସ୍ଥାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
କଂଗ୍ରେସ ନେତା ମାନସ ଚୌଧୁରୀ କହିଛନ୍ତି ଯେ, “ଭୁବନେଶ୍ୱରରେ ବଡ଼ ବଡ଼ ଘରୋଇ ହସ୍ପିଟାଲ ଥାଉ ଥାଉ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସରକାରୀ ମେଡିକାଲକୁ ଆସିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ଏସସିବିର ପ୍ରକୃତ ସ୍ଥିତି ପଦାରେ ପଡ଼ିଯାଇଛି। ଯଦି ମୁଖ୍ୟମନ୍ତ୍ରୀଙ୍କ ପରିବାର ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ରାଜ୍ୟର ହଜାର ହଜାର ସାଧାରଣ ରୋଗୀ କିଭଳି ଅସୁବିଧା ଭୋଗୁନଥିବେ, ତାହା ସହଜରେ ଅନୁମେୟ।”
ଏହି ଘଟଣା କେବଳ ଏକ ମେସିନ ଖରାପ ହେବାର ପ୍ରସଙ୍ଗ ନୁହେଁ, ବରଂ ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଦୁରବସ୍ଥାକୁ ପଦାରେ ପକାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ତୁରନ୍ତ ମେସିନକୁ କାର୍ଯ୍ୟକ୍ଷମ କରିବା ସହ ରାଜ୍ୟର ଅନ୍ୟ ସରକାରୀ ହସ୍ପିଟାଲଗୁଡ଼ିକର ସ୍ଥିତି ସୁଧାରିବା ପାଇଁ ଦଳ ଦାବି କରିଛି।
