ଭୁବନେଶ୍ୱର: ରାଜ୍ୟରେ ମିନିଟ୍ରକ୍ ମାଲିକ ଏବଂ ଡ୍ରାଇଭରମାନଙ୍କ ମଧ୍ୟରେ ସମ୍ପର୍କ ଏବେ ତିକ୍ତତାର ଶେଷ ସୀମାରେ ପହଞ୍ଚିଛି। ଡ୍ରାଇଭର ମହାସଂଘର ‘ଷ୍ଟିଅରିଂ ଛାଡ’ ଆନ୍ଦୋଳନ ସମୟରେ ହୋଇଥିବା କିଛି ଅପ୍ରୀତିକର ଘଟଣା ଏବଂ ପରବର୍ତ୍ତୀ ବିବାଦ ଯୋଗୁଁ ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ଏହିଭଳି ଏକ ସମ୍ବେଦନଶୀଳ ପରିସ୍ଥିତିରେ, ନିଖିଳ ଓଡ଼ିଶା ମିନିଟ୍ରକ୍ ମାଲିକ ମହାସଂଘ ଡ୍ରାଇଭରମାନଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଆଇନର ସହାୟତା ଲୋଡ଼ିବା ସହ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି।
ସୂଚନା ଅନୁଯାୟୀ, ଡ୍ରାଇଭର ମହାସଂଘ ପକ୍ଷରୁ ସରକାରଙ୍କ ବିରୁଦ୍ଧରେ କରାଯାଇଥିବା ଆନ୍ଦୋଳନର ତୃତୀୟ ଦିନରେ, ଆନ୍ଦୋଳନରେ ସାମିଲ ହୋଇନଥିବା କିଛି ଡ୍ରାଇଭରଙ୍କୁ ଦୁର୍ବ୍ୟବହାର କରାଯାଇଥିବାର ଅଭିଯୋଗ ହୋଇଥିଲା। ସେମାନଙ୍କ ଗାଡ଼ି ଅଟକାଇ ବେକରେ ଫୁଲମାଳ ପକାଇ ତାତ୍ସଲ୍ୟ କରିବା, ସାନ ବୟସର ଚାଳକଙ୍କୁ ମୁଣ୍ଡିଆ ମାରିବାକୁ ବାଧ୍ୟ କରିବା ଏବଂ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିବା ଭଳି ଘଟଣା ମାଲିକ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା।
ଏହି ଘଟଣା ପରେ, ନିଖିଳ ଓଡ଼ିଶା ମିନିଟ୍ରକ୍ ମାଲିକ ସଂଘ ପକ୍ଷରୁ ଆଇନଗତ ପଦକ୍ଷେପ ନିଆଯାଇଥିଲା, ଯାହାଫଳରେ ଡ୍ରାଇଭର ମହାସଂଘର ସଭାପତି ଓ କୋଷାଧ୍ୟକ୍ଷଙ୍କୁ ପୋଲିସ ଗିରଫ କରିଥିଲା। ତେବେ, ଜାମିନରେ ମୁକୁଳିବା ପରେ ପରିସ୍ଥିତି ଆହୁରି ଜଟିଳ ହୋଇଥିଲା। ମାଲିକ ସଂଘ ଅଭିଯୋଗ କରିଛି ଯେ, ଜେଲରୁ ଫେରିବା ପରେ କିଛି ଡ୍ରାଇଭର ମାଲିକ ସଂଘର ଲୋଗୋ ଲାଗିଥିବା ଗାଡ଼ିକୁ କ୍ଷତି ପହଞ୍ଚାଇବା ସହ ସୋସିଆଲ ମିଡିଆରେ ମାଲିକମାନଙ୍କ ବିରୁଦ୍ଧରେ ଅପପ୍ରଚାର ଚଳାଇଥିଲେ।
ଏତିକିରେ ସେମାନଙ୍କ ରାଗ ଶାନ୍ତ ନ ହେବାରୁ, କୌଣସି ବି ଡ୍ରାଇଭର ଯେପରି ନିଖିଳ ଓଡ଼ିଶା ମାଲିକ ସଂଘର ଗାଡ଼ି ନ ଚଲାନ୍ତି, ସେଥିପାଇଁ ଚେତାବନୀ ଦିଆଯାଇ ଏକ ଭୟର ବାତାବରଣ ସୃଷ୍ଟି କରାଯାଇଥିବା ମାଲିକ ସଂଘ ପକ୍ଷରୁ କୁହାଯାଇଛି।
ଡ୍ରାଇଭରମାନଙ୍କ ଏହିପରି “ହୀନ ଚକ୍ରାନ୍ତ” ଓ “ଔଦ୍ଧତ୍ୟପୂର୍ଣ୍ଣ” କାର୍ଯ୍ୟ ବିରୋଧରେ କ୍ଷୋଭ ପ୍ରକାଶ କରି ମାଲିକ ମହାସଂଘ ଏହାର ସମାଧାନ ପାଇଁ ଆଇନର ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦିଆଯାଇଥିଲା। ଏହି ଅବସରରେ ନିଖିଳ ଓଡ଼ିଶା ମିନି ଟ୍ରକ୍ ମାଲିକ ସଂଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଣେଶ ମାହାରୀ, କାର୍ଯ୍ୟକାରୀ ସଭାପତି ରାଜେଶ ସ୍ୱାଇଁ, ରାଜ୍ୟ ଉପ-ସଭାପତି ଚିନ୍ମୟ ଦେବତା ଓ ବୁଲୁ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ରନ୍ତାକର ସାହୁଙ୍କ ସମେତ ନିରଞ୍ଜନ ମହାରଣା, ସୁରେଶ, ସଞ୍ଜୟ, ନିତ୍ୟାନନ୍ଦ ମହାପାତ୍ର, ଟୁଲୁ, ପ୍ରମୋଦ ଓ ପିଙ୍କୁନୁ ପ୍ରମୁଖ ପଦାଧିକାରୀ ଉପସ୍ଥିତ ଥିଲେ।
