7f0cd422 Bbea 4113 9c3b 74bd6936269e

ସାଂପ୍ରତିକ ପରିସ୍ଥିତିରେ ରାଷ୍ଟ୍ରବାଦର ଶିଖାକୁ ପ୍ରଜ୍ଜ୍ଵଳନ କରିବାରେ ‘ରାଷ୍ଟ୍ରଦୀପ’ର ଅତ୍ୟନ୍ତ ଆବଶ୍ୟକତା ଅଛି

ରାଜ୍ୟ
Spread the love

ଭୁବନେଶ୍ୱର :  ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ରାଷ୍ଟ୍ରଦୀପର ଷଷ୍ଟିପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ “ରାଷ୍ଟ୍ରଦୀପ” ଓଡିଆ ସମ୍ବାଦପତ୍ର ଜଗତରେ ଏକ ଉଜ୍ୱଳ ଆଲୋକ ବର୍ତ୍ତିକା । ରାଷ୍ଟ୍ରଦୀପ ପରି ରାଷ୍ଟ୍ରୀୟ ବିଚାରଧାରା ପୋଷଣ କରୁଥିବା ଗଣମାଧ୍ୟମଙ୍କ ଭୂମିକା ଆଜିର ସମାଜ ପାଇଁ ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ। ରାଷ୍ଟ୍ରଦୀପ ପରି ଗଣମାଧ୍ୟମ ଯେତେ ସକ୍ରୀୟ ମୁଖର, ଶକ୍ତିଶାଳୀ ଓ ପ୍ରଭାବଶାଳୀ ହେବ, ତାହା ଦେଶ ଓ ରାଜ୍ୟ ପାଇଁ କଲ୍ୟାଣକାରୀ ହେବ ı

ମୁଖ୍ୟମନ୍ତ୍ରୀ ଏହା ମଧ୍ଯ କହିଥିଲେ ଯେ ଓଡିଶାରେ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସମସ୍ୟା ପ୍ରତି ମୁଁ ଓ ଆମ ସରକାର ଅବଗତ ଅଛୁ । ଏ ନେଇ ବିଭିନ୍ନ ସାମ୍ବାଦିକ ସଙ୍ଗଠନଙ୍କ ପକ୍ଷରୁ ସରକାରଙ୍କର ଯେଉଁ ଦୃଷ୍ଟି ଆକର୍ଷଣ କରାଯାଇଛି ସେ ଦିଗରେ କ’ଣ କରାଯାଇ ପାରିବ ଏଥିପ୍ରତି ଆମେ ସମ୍ବେଦନଶୀଳ ଅଛୁ ଓ ସମସ୍ୟାର ସମାଧାନ ପାଇଁ ସକ୍ରୀୟତା ପୂର୍ବକ ଚିନ୍ତା କରୁଛୁ।

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ସାଂପ୍ରତିକ ବିଭେଦମୟ ରାଜନୈତିକ ପରିସ୍ଥିତିରେ ରାଷ୍ଟ୍ରବାଦର ଶିଖାକୁ ପ୍ରଜ୍ଜ୍ଵଳନ କରିବାରେ ‘ରାଷ୍ଟ୍ରଦୀପ’ ପରି ସ୍ଵରର ଅତ୍ୟନ୍ତ ଆବଶ୍ୟକତା ଅଛି। ସମାଜରେ ଜାଗରଣ ଓ ସଚେତନତା ଆଣିବା ଗଣମାଧ୍ୟମର ପ୍ରମୁଖ କାର୍ଯ୍ୟ ଏବଂ ଗତ ଷାଠିଏ ବର୍ଷ ହେଲା ରାଷ୍ଟ୍ରଦୀପ ଏହି କାର୍ଯ୍ୟ ନିରନ୍ତର କରି ଆସୁଛି।  ଗଣମାଧ୍ୟମ ସମାଜର ଆଖି ଓ କାନ ପରି କାର୍ଯ୍ୟ କରିଥାଏ । ଗଣମାଧ୍ୟମ ଅଧିକରୁ ଅଧିକ ପାଠକ ବା ଦର୍ଶକ ସଂଖ୍ୟା ବୃଦ୍ଧି କରିବା ସହିତ ଅଧିକ ପେସାଦାର ମନୋଭାବ ନେଇ ତଥା ସମାଜ ପ୍ରତି ଦାୟିତ୍ୱବୋଧର ଭାବନା ନେଇ କାର୍ଯ୍ୟ କଲେ ଏହା ତାଙ୍କ ପାଇଁ ତଥା ସମାଜ ପାଇଁ ମଙ୍ଗଳମୟ ହେବ।
ସମାଜ କ’ଣ ଚାହୁଁଛି, ବିଶେଷକରି ସରକାରଙ୍କ ଠାରୁ ଏହା କ’ଣ ଆଶା କରୁଛି, ଏସବୁ ଗଣମାଧ୍ୟମରେ ପ୍ରତିଫଳିତ ହୋଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ତଥା ଲେଖକ ଓ ଚିନ୍ତକ ଏବଂ ଇଣ୍ଡିଆ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡକ୍ଟର ରାମ ମାଧବ କହିଥିଲେ ଯେ ଆଜିର ପରିବର୍ତ୍ତନଶୀଳ ସମାଜରେ ରାଷ୍ଟ୍ରଦୀପ ଭଳି ରାଷ୍ଟ୍ରବାଦୀ ଖବର କାଗଜ ସର୍ବଦା ରାଷ୍ଟ୍ରର ହିତରେ ଏବଂ ରାଷ୍ଟ୍ରୀୟତା ଚେତନାର ପ୍ରଚାରକ ସାଜିଛି।

ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରଦୀପ ର ସଭାପତି ଶ୍ରୀ ଅନୁପ କୁମାର ବୋଷ, ରାଷ୍ଟ୍ରଦୀପ ର ସମ୍ପାଦକ, ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର, ରାଷ୍ଟ୍ରଦୀପ ପରିଚାଳନା ସମିତି ର ସମ୍ପାଦକ, ଶ୍ରୀ ସତ୍ୟନାରାୟଣ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ ଏବଂ କାର୍ଯ୍ୟକ୍ରମର ପରିଚାଳନା ଶ୍ରୀମତୀ ପ୍ରଜ୍ଞା ପାରମିତା ଆଚାର୍ଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *