କଟକ,୨୯/୯: ଦଶହରା ପାଇଁ ଐତିହାସିକ କଟକ ସହର ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛି। ୫୨ ବଜାର ୫୩ ଗଳିରେ ଦଶହରାର ମାହୋଲ ଦେଖିବାକୁ ମିଳିଛି। ଚଳିତବର୍ଷ ୧୭୬ ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି। ଏଥିମଧ୍ୟରୁ ମା’ ଦୁର୍ଗା ୩୬ଟି ଚାନ୍ଦି ମେଢ଼ଯୁକ୍ତ ମଣ୍ଡପ ନିର୍ମାଣ ହୋଇଛି।
ଐତିହାସିକ କଟକରେ ସୁସଜ୍ଜିତ ମା’ ଦୁର୍ଗାଙ୍କ ଚାନ୍ଦିମେଢ଼ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ମା’ ଙ୍କ ମେଢ ଏବଂ ପୁରୁଣା ପରମ୍ପରାକୁ ନେଇ ଚର୍ଚ୍ଚା ହୋଇଥାଏ। କେବଳ ସେତିକି ନୁହେଁ, କଟକ ଦଶହରାର ବିଶେଷତା ହେଉଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ମେଢ଼। ଏଠାରେ ମା’ଙ୍କର ମେଢ଼କୁ ପ୍ରଥମେ ରଙ୍ଗୀନ କାଗଜ ଓ ସୋଲରୁ ପ୍ରସ୍ତୁତ କରାଯାଉଥିଲା। ପରେ ଏଥିରେ ଜରି ବ୍ୟବହାର କରାଗଲା, ଯାହା କି ମା’ଙ୍କ ମୂର୍ତ୍ତିକୁ ଆହୁରି ଆକର୍ଷଣୀୟ କରିଥିଲା। ପରବର୍ତ୍ତୀ ସମୟରେ ଜରିର ସ୍ଥାନ ନେଇଛି ରୁପା ଓ ସୁନା। ତାରକସୀ ଶିଳ୍ପୀମାନେ ମା’ ଙ୍କ ମୁକୁଟ ସହ ଅଳଙ୍କାର ପ୍ରସ୍ତୁତ କରିବା ପରେ କଟକ ଦୁର୍ଗାପୂଜାକୁ ଆଉ ଏକ ସ୍ବତନ୍ତ୍ର ପରିଚୟ ମିଳିଛି।
ଚୌଧୁରୀବଜାର, ଶେଖ୍ ବଜାର, ଅଲିଶା ବଜାର, ବାଲୁବଜାର, ଚାଉଳିଆଗଂଜ, ଚାନ୍ଦିନୀ ଚୌକ, ଶଙ୍କରପୁର-ବାଦାମବାଡ଼ି (ମହାଦେବ), କାଜିବଜାର, ତୁଳସୀପୁର (ମହାଦେବ), ବୁଢ଼ି ଠାକୁରାଣୀ, ଗଣେଶଘାଟ (ମହାଦେବ), ବାଖରାବଜାର (ଛିନ୍ନମସ୍ତା), ଫିରିଙ୍ଗବଜାର, ନୟାସଡ଼କ (ମହାଦେବ), କାଠଗଡ଼ାସାହି, ପୀଠାପୁର (କାଳୀୟଦଳନ), ଦରଘାବଜାର, ମାଛୁଆବଜାର, ମଙ୍ଗଳାବାଗ, ରାଣୀହାଟ, ଛତ୍ରବଜାର, ଖାନନଗର, ଶିଖରପୁର, ହରିପୁର-ଦୋଳମୁଣ୍ଡାଇ, ବିଡ଼ାନାସୀ କୁମ୍ଭାରସାହି, ଗଙ୍ଗାମନ୍ଦିର, କଲେଜଛକ, ଖଟବିନସାହି, କାଫଲାବଜାର, ମହମ୍ମଦିଆବଜାର, ନିମସାହି (ମହାଦେବ), ନିମଚୌଡ଼ି (ହରପାର୍ବତୀ), ତୁଳସୀପୁର ମଠସାହି, ରାମଗଡ଼-କନିକାଛକ, ଯୋବ୍ରା ଓ ଗୋପାଳଜୀଉ ମଠସାହିରେ ଚାନ୍ଦିମେଢ଼ ନିର୍ମାଣ କରାଯାଇଛି। ତେଲେଙ୍ଗାବଜାର ଏବଂ ବୟାଳିଶମୌଜାରେ ପତ୍ତଳ ମେଢ଼ ନିର୍ମାଣ କରାଯାଇଥିବା ବେଳେ ରାଉସପାଟଣାରେ ପୂର୍ବବର୍ଷ ଭଳି ଏଥର ମଧ୍ୟ କାଚମେଢ଼ରେ ମା’ ବିରାଜିଛନ୍ତି।
