ଚୀନ୍‌ ଉପରେ ଆମେରିକାର ଅତିରିକ୍ତ ୧୦୦% ଶୁଳ୍କ ଲାଗୁ

ଦେଶବିଦେଶ
Spread the love

ନୂଆଦିଲ୍ଲୀ,୧୨/୧୦ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମୂଲ୍ୟବାନ ବିରଳ ଖଣିଜ ପଦାର୍ଥ ପାଇଁ ବେଜିଂ ପକ୍ଷରୁ କରାଯାଇଥିବା ନୂତନ ରପ୍ତାନି ନିୟନ୍ତ୍ରଣର ପ୍ରତିଶୋଧ ସ୍ୱରୂପ ଆମେରିକା ଆସନ୍ତା ନଭେମ୍ବର ମାସରୁ ଚୀନରୁ ଆମଦାନୀ ଉପରେ ଅତିରିକ୍ତ ୧୦୦% ଶୁଳ୍କ ଲାଗୁ କରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଅତିରିକ୍ତ ଶୁଳ୍କ ନଭେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହେବ। ଏଥିସହିତ ଆମେରିକା ପ୍ରଶାସନ ସେହି ତାରିଖରୁ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର ଉପରେ ନିଜସ୍ୱ ରପ୍ତାନି ନିୟନ୍ତ୍ରଣ ମଧ୍ୟ ଲାଗୁ କରିବ। ବର୍ତ୍ତମାନ ଚୀନରୁ ଆସୁଥିବା ସାମଗ୍ରୀ ଉପରେ ଆମେରିକା ଏହି ୧୦୦% ଶୁଳ୍କ ଲାଗୁ କଲେ ପୂର୍ବର ୩୦% ଶୁଳ୍କ ସହ ମୋଟ ଶୁଳ୍କ ହାର ୧୩୦% ହେବ। ଅନ୍ୟପକ୍ଷରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଯଦି ଚୀନ୍ ଏହାର ରପ୍ତାନି ନିୟନ୍ତ୍ରଣକୁ ପ୍ରତ୍ୟାହାର କରେ ତେବେ ସେ ଶୁଳ୍କ ପ୍ରତ୍ୟାହାର କରିପାରିବେ। ପୂର୍ବ ଏକ ପୋଷ୍ଟରେ, ରାଷ୍ଟ୍ରପତି ଟ୍ରମ୍ପ ଏହି ସପ୍ତାହରେ ବେଜିଂର ବିରଳ ଖଣିଜ ପଦାର୍ଥ ରପ୍ତାନି ପାଇଁ ନିୟମ କଠୋର କରିବା ନୀତିକୁ ସମାଲୋଚନା କରି କହିଥିଲେ, ଚୀନ ବିଶ୍ୱକୁ ବନ୍ଦୀ କରି ରଖିବାକୁ ଚେଷ୍ଟା କରୁଛି। ଶ୍ରୀ ଟ୍ରମ୍ପ କହିଛନ୍ତି, ଚଳିତ ମାସ ଶେଷରେ ଦକ୍ଷିଣ କୋରିଆରେ ହେବାକୁ ଥିବା ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ ଶିଖର ସମ୍ମିଳନୀରେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ କରିନପାରନ୍ତି। ସୂଚନାଯୋଗ୍ୟ, ଚୀନ୍ ଗତ ଗୁରୁବାର ଦିନ ଘୋଷଣା କରିଛି ଯେ ଏହା ୫ଟି ଅତିରିକ୍ତ ବିରଳ ଖଣିଜ ପଦାର୍ଥର ରପ୍ତାନି ଉପରେ କଟକଣା ଜାରି କରିବ।

Leave a Reply

Your email address will not be published. Required fields are marked *