ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ୩ ଗିରଫ

ଦେଶବିଦେଶ ବାଲେଶ୍ୱର ରାଜ୍ୟ
Spread the love

ଜଳେଶ୍ବର ୧୨/୧୦: ପଶ୍ଚିମ ବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଦୁର୍ଗାପୁର ଥାନା ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର୍ ଥିବା ସୂଚନା ମିଳିଛି। ସୂଚନା ମୂତାବକ ଶୁକ୍ରବାର ଅପରାହ୍ନରେ ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜର ଜଣେ ଦ୍ୱିତୀୟ ବର୍ଷର ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ସଂପୃକ୍ତ ଛାତ୍ରୀଙ୍କ ଘର ବାଲେଶ୍ବର ଜିଲା, ଜଳେଶ୍ୱର ଅଞ୍ଚଳରେ। ସଂପୃକ୍ତ ଛାତ୍ରୀ ପଶ୍ଚିମବଙ୍ଗ, ବର୍ଦ୍ଧମାନ ଜିଲାର ଦୁର୍ଗାପୁରସ୍ଥିତ ଆଇକ୍ୟୁ ସିଟି ନାମକ ଘରୋଇ ମେଡିକାଲ କଲେଜରେ ଅଧ୍ୟୟନ କରୁଛନ୍ତି। ଛାତ୍ରୀ ଜଣକ ଶୁକ୍ରବାର ରାତି ୯ଟାରେ ତାଙ୍କର ଜଣେ ପୁରୁଷ ବନ୍ଧୁ ଓାସିଫ ଅଲ୍ଲୀଙ୍କ ସହ କ୍ୟାମ୍ପସ ବାହାରକୁ ଆସିଥିଲେ। ସେଠାରେ ଥିବା କେତେକ ଯୁବକ ଛାତ୍ରୀଙ୍କୁ କଲେଜ ପଛ ପଟେ ଥିବା ଏକ ନିର୍ଜନ ଜଙ୍ଗଲିଆ ସ୍ଥାନକୁ ଟାଣି ନେଇ ଗଣ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନେ ଛାତ୍ରୀଙ୍କ ମୋବାଇଲ ଫୋନ ଓ ୫୦୦୦ ଟଙ୍କା ଲୁଟିନେଇଥିବା ଜଣାପଡିଛି। ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୁମୂର୍ଷୁ ଅବସ୍ଥାରେ ପୀଡିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ମେଡିକାଲ କଲେଜର କର୍ମଚାରୀ ଏବଂ ଯୁବତୀଙ୍କ ସହିତ ଆସିଥିବା ପୁରୁଷ ବନ୍ଧୁ ସମେତ ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି। ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଜେରା କରାଯାଇଥିବାବେଳେ ତାଙ୍କର ବୟାନ ରେକର୍ଡ କରାଯାଇଛି। ଖବର ପାଇ ଛାତ୍ରୀଙ୍କ ପିତାମାତା ଶନିବାର ସକାଳେ କଲେଜରେ ପହଞ୍ଚିଛନ୍ତି। ସାଙ୍ଗମାନଙ୍କ ଠାରୁ ସମସ୍ତ ଖବର ଶୁଣିସାରିବା ପରେ କ୍ୟାମ୍ପସରେ କୌଣସି ସୁରକ୍ଷା ନ ଥିବା ଏବଂ ହସ୍ପିଟାଲ ପ୍ରଶାସନ କୌଣସି ପ୍ରତିକ୍ରିୟା ରଖୁ ନ ଥିବା ଛାତ୍ରୀଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି। ସେପଟେ ମେଡିକାଲରେ ଉନ୍ନତ ଚିକିତ୍ସା ପରେ ପୀଡିତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଥିବା କହିଛନ୍ତି ପୀଡିତାଙ୍କ ବାପା।

Leave a Reply

Your email address will not be published. Required fields are marked *